୪୮ ଘଣ୍ଟାରେ ଭାରତ ଛାଡ଼ିବେ ପାକିସ୍ତାନ ନାଗରିକ
ପାକିସ୍ତାନ ବିରୋଧରେ ଭାରତର ବଡ଼ ଆକ୍ସନ। ପାକିସ୍ତାନକୁ ଜବତ କରିବା ପାଇଁ କଠୋର ହେଲା ଭାରତ । CCS ବୈଠକ ଶେଷ ହେବା ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍ କରି ବଡ଼ ଘୋଷଣା କରିଛନ୍ତି । ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେଇଛନ୍ତି ଭାରତ ସରକାର । ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କଲା ଭାରତ । ତେବେ ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଅଟାରୀ-ୱାଘା ବର୍ଡର ଦେଇ ଆସିଛନ୍ତି ସେମାନେ ମେ’ ୧ ପୂର୍ବରୁ ଫେରନ୍ତୁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ସେହିପରି ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ମନା । ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ଭାରତ ବାତିଲ କରିଛି । ଅନ୍ୟପକ୍ଷରେ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିଛି ଭାରତ । ଦୂତବାସୀ କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ନିଷ୍ପତ୍ତି ନିଆଯାଇଛି । ସେହିପରି ପାକ୍ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବେ ବୋଲି ଭାତର ପକ୍ଷରୁ କୁହାଯାଇଛି । ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଡକାଇଥିଲେ ଏହି ହାଇଲେବଲ୍ ମିଟିଂ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଯୋଗଦେଇଥିଲେ ।
