ଆଜି ଆସିବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ
ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଦିନିକିଆ ଗସ୍ତରେ ଚାରି ହଜାର କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସେଥିମଧ୍ୟରୁ ୧୩ ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ଗଡ଼କରୀ । ଚାରୋଟି CRIF ବ୍ରିଜର ଶିଳାନ୍ୟାସ କରାଯିବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଆଜି ଅପରାହ୍ନରେ ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଯୋଗ ଦେଇ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏଥିରେ ୨୯୦୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪ଟି ସିଆର୍ଆଇଏଫ୍ ବ୍ରିଜ୍ର ଶିଳାନ୍ୟାସ ହେବାକୁ ଥିବାବେଳେ ୮୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ଜାତୀୟ ରାଜପଥକୁ ଶ୍ରୀ ଗଡ଼କରୀ ଉଦ୍ଘାଟନ କରିବେ।
ଜାତୀୟ ରାଜପଥ ପ୍ରକଳ୍ପ ବାବଦକୁ ରାଜ୍ୟ ସରକାର ୨୮ହଜାର କୋଟିର ଅନୁଦାନ ଦାବି କରିଥିବାବେଳେ ଏ ବାବଦକୁ କେନ୍ଦ୍ର ମନ୍ତ୍ରୀ ୯ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି। ଓଡ଼ିଶା ଏବେ ରାସ୍ତା ସଂଯୋଗୀକରଣରେ ସାରା ଦେଶରେ ୮ନମ୍ବର ସ୍ଥାନରେ ଥିବାବେଳେ ଖୁବ୍ ଶୀଘ୍ର ଯେପରି ପ୍ରଥମ ସ୍ଥାନ ହାସଲ କରିବ, ସେଥିପାଇଁ କେନ୍ଦ୍ର ମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖି ଭୁବନେଶ୍ୱରରୁ ପୁରୀ, ମେରାଇନ୍ ଡ୍ରାଇଭ ରୋଡ୍, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶସ୍ତୀକରଣ ସହ କେତେକ ୪ଥାକିଆ ରାସ୍ତାକୁ ୬ଥାକିଆ କରିବାକୁ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ପୁଣି ଅବଗତ କରାଇଛନ୍ତି। ସେହିପରି ଉପକୂଳ ରାଜପଥ ପାଇଁ ଏବେ ଆର୍ଥିକ ଅନୁମତି ମିଳିଛି। କିନ୍ତୁ ପ୍ରାଶାସନିକ ଅନୁମତି ମିଳି ନ ଥିବାରୁ ଟେଣ୍ଡର ବିଳମ୍ବ ହେଉଛି। ଉପକୂଳ ରାଜପଥ, କ୍ୟାପିଟାଲ୍ ରିଜନ୍ ରିଙ୍ଗ୍ ରୋଡ୍ ଭଳି ପ୍ରମୁଖ ରାସ୍ତାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।
