ଓଡ଼ିଶାରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ଜେପି ନଡ୍ଡା

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁଭାରମ୍ଭ କରିବେ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଆରମ୍ଭ ହେବ । କଟକ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମର ସିଧାପ୍ରସାରଣ ୧୪୦୫ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବ । ପ୍ରାୟ ସାଢେ ୩କୋଟି ଲୋକଙ୍କୁ କାର୍ଡ ପ୍ରଦାନ କରାଯିବ । ଜେପି ନଡ୍ଡାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ ।ଏହି କାର୍ୟ୍ୟକ୍ରମରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେବେ । ଏହି ଅବସରରେ ପ୍ରାୟ ୨୫ ହଜାର ଲୋକଙ୍କ ସମାଗମ ହେବ । ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।ରାଜ୍ୟର ୧୨ଟି ଜିଲ୍ଲାରେ ଏଥିପାଇଁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟ ସରକାରଙ୍କ ୧୨ ଜଣ ମନ୍ତ୍ରୀ ଏଥିରେ ଅତିଥି ଭାବରେ ଯୋଗ ଦେଇ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । କାର୍ୟ୍ୟକ୍ରମର ସିଧା ପ୍ରସାରଣ ରାଜ୍ୟର ୧୪୦୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯିବ । ରାଜ୍ୟରେ ପ୍ରାୟ ସାଢେ ୩ କୋଟି ଲୋକଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ପୂର୍ବରୁ ରାଜ୍ୟବାସୀଙ୍କୁ ବିଏସକେୱାଇ ଯୋଜନାରେ ୯୭୮ଟି ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁଥିଲା । ଏହି ଯୋଜନା ଅନ୍ତର୍ଗତ ଏବେ ଦେଶର ୨୯ ହଜାର ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ । ସେହିପରି ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।