ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ବଫର ଜୋନ୍‌ରେ ୧୨ଟି ମୋବାଇଲ୍‌ ଟାୱାର

ଶିମିଳିପାଳରେ ନିର୍ମାଣ ହେବ ୧୨ଟାୱାର

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ବଫର ଜୋନ୍‌ରେ ୧୨ଟି ମୋବାଇଲ୍‌ ଟାୱାର ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାରଙ୍କ ୪ଜି ସାଚୁରେସନ୍‌ ପ୍ରକଳ୍ପ ଅଧୀନରେ ବିଏସ୍‌ଏନ୍‌ଏଲ୍‌ ଦ୍ବାରା ଅଭୟାରଣ୍ୟରେ ୩୪ଟି ମୋବାଇଲ୍ ଟାୱାର ସ୍ଥାପନ ପାଇଁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ସୁପାରିସ କରିଥିଲା। ଏନ୍‌ଟିସିଏର ଏକ ପ୍ରତିନିଧି ଦଳ ସ୍ଥାନ ପରିଦର୍ଶନ କରିବା ପରେ ୧୨ଟି ଟାୱାର ନିର୍ମାଣକୁ ମଞ୍ଜୁରି ମିଳିଛି। ସେହିପରି ହଦଗଡ଼ ଅଭୟାରଣ୍ୟର ଗୋଟିଏ ଗାଁରେ ମଧ୍ୟ ମୋବାଇଲ୍‌ ଟାୱାର ନିର୍ମାଣ କରିବାକୁ ଅନୁମୋଦନ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆରେ ଆରଓ-ପାକ୍ସ ଜେଟି ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଏବଂ କର୍ଲାପାଟ ଅଭୟାରଣ୍ୟ ଦେଇ ଆରଓଡବ୍ଲୁ ମଧ୍ୟରେ ଅପ୍ଟିକାଲ୍ ଫାଇବର କେବୁଲ୍‌ ବିଛାଇବା କାର୍ଯ୍ୟକୁ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ ମିଳିଥିବା ଜଣାପଡ଼ିଛି। ୨୦୨୩ ଡିସେମ୍ବର ୨୮ରେ ଅନୁଷ୍ଠିତ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ନବମ ସ୍ଥାୟୀ ବୈଠକରେ ଏହି ପ୍ରକଳ୍ପଗୁଡ଼ିକ ପାଇଁ ସୁପାରିଶ କରାଯାଇଥିଲା।

ଅନ୍ୟପକ୍ଷ‌ରେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଭୟାରଣ୍ୟରେ ମୋବାଇଲ୍‌ ଟାୱାର, ପାଣି ପାଇପ୍‌ ବିଛାଇବା, ଅପ୍ଟିକାଲ ଫାଇବର କେବୁଲ୍‌ ଆଦି ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୋଟ ଉପରେ ୧୪ଟି ପ୍ରକଳ୍ପ ସଂପର୍କରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପକ୍ଷରୁ ଜାତୀୟ ବନ୍ୟପ୍ରାଣୀ ବୋର୍ଡକୁ ସୁପାରିସ କରାଯିବ। ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ଅଧୀନ ରେବଣା ରୁ ତାଳପଡ଼ା ଅପ୍ଟିକାଲ୍ ଫାଇବର କେବୁଲ ବିଛାଇବା ଓ ତାଳପଡ଼ାରେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ‌ଜଙ୍ଗଲ/ଅଣଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରସ୍ତାବ, ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର କେଞ୍ଚୁଆନାଳିରୁ ତରଣ୍ଡା ରାସ୍ତାରେ ସିଡବ୍ଲୁଆରଏମ୍‌ ଡିଆଇ ପାଇପ୍ ବିଛାଇବା, ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ୨୩ଟି ଗ୍ରାମ ପଞ୍ଚାୟତ ଓ ଆଠମଲ୍ଲିକ ବ୍ଲକର ୩ଟି ଗ୍ରାମ ପଞ୍ଚାୟତ ସହ ଜଡ଼ିତ ପ୍ରକଳ୍ପ, ଯାହାକି ଯଦୁପୁର ଗ୍ରାମରୁ ଧଣ୍ଡାଟୋପା ଗ୍ରାମକୁ ରାଜ୍ୟ ରାଜପଥ-୬୨ ସହ ସ୍ବଚ୍ଛ ଜଳ ପାଇପ୍‌ ଲାଇନ ବିଛାଇବା, ହଦଗଡ଼ ଓ କୁଲଡିହା ଅଭୟାରଣ୍ୟ ଅଧୀନ କେନ୍ଦୁଝର ଜିଲ୍ଲାର ଶାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପକୁ ପରିବେଶ ମଞ୍ଜୁରି, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ମଧ୍ୟରେ ଅପ୍ଟିକାଲ୍ ଫାଇବର କେବୁଲ୍‌ ବିଛାଇବା ଅନୁମୋଦନ ପାଇଁ ପଠାଯିବାକୁ ସ୍ଥିର ହୋଇଛି।