ଆଜି ପର୍ତ୍ତୃଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ ରାଷ୍ଟ୍ରପତି
ଆଜି ପର୍ତ୍ତୃଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ପର୍ତ୍ତୃଗାଲ ପ୍ରତିପକ୍ଷ ମାର୍ସେଲୋ ରିବେଲୋ ଡି ସୌସାଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ । ପର୍ତ୍ତୃଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନିଗ୍ରୋ ଏବଂ ନ୍ୟାସନାଲ ଆସେମ୍ବ୍ଲିର ସଭାପତି ଜୋସ୍ ପେଡ୍ରୋ ଆଗ୍ୱିଆର୍-ବ୍ରାଙ୍କୋଙ୍କ ସହ ରାଷ୍ଟ୍ରପତି ସାକ୍ଷାତ୍ ଆଲୋଚନା କରିବେ । ସେହିଭଳି ପର୍ତ୍ତୃଗାଲରୁ ସ୍ଲୋଭାକିଆ ଗସ୍ତରେ ଯାଇ ରାଷ୍ଟ୍ରପତି ମୁର୍ମୁ ସେଠାକାର ରାଷ୍ଟ୍ରପତି ପିଟର ପେଲିଗ୍ରିନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । ୨୭ ବର୍ଷର ବ୍ୟବଧାନ ପରେ ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ପର୍ତ୍ତୃଗାଲ ଗସ୍ତ ।ଉଭୟ ଦେଶ କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି । ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ଆଶା କରାଯାଇଛି । ସେହିଭଳି ୨୯ବର୍ଷ ପରେ ଭାରତର ରାଷ୍ଟ୍ରପତି ପ୍ରଥମଥର ପାଇଁ ସ୍ଳୋଭାକିଆ ଗସ୍ତରେ ଯିବେ । ଆସନ୍ତା ୧୦ ତାରିଖରେ ଏହି ଦୁଇଦେଶ ଗସ୍ତକ୍ରମ ଶେଷ କରି ରାଷ୍ଟ୍ରପତି ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ।
