୩ ମାସରେ ଭୁବନେଶ୍ବରରେ ତିନି ଏନ୍‌କାଉଣ୍ଟର୍‌

ରାଜଧାନୀରେ ଡବଲ୍‌ ଏନ୍‌କାଉଣ୍ଟର୍‌

ରାଜଧାନୀରେ ଡବଲ୍‌ ଏନ୍‌କାଉଣ୍ଟର୍‌। ବିହାର ଖୋରା ଗ୍ୟାଙ୍ଗ୍‌ର ୨ ଅପରାଧୀ ଆହତ, ୩ ମାସରେ ତିନି ଏନ୍‌କାଉଣ୍ଟର୍‌। ଗୁରୁବାର ରାତିରେ ବଡ଼ଗଡ଼ ଥାନା ପୋଲିସ ଓ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ହୋଇଛି ଡବଲ୍‌ ଏନ୍‌କାଉଣ୍ଟର୍‌। ଏଥିରେ ବିହାର କଟିହାର ଅଞ୍ଚଳ ଖୋରା ଗ୍ୟାଙ୍ଗ୍‌ର ୨ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ମନୀଷ ଯାଦବ(୨୮) ଓ ସୋନୁ ଯାଦବ(୨୭)। ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରାୟ ୭ ରାଉଣ୍ଡ ଗୁଳି ବିନିମୟ ହୋଇଛି। ପୁଲିସ ସେମାନଙ୍କ ନିକଟରୁ ୨ଟି ମାଉଜର୍‌( ଗୋଟିଏ ୯ଏମ୍‌ଏମ୍‌ ଓ ଅନ୍ୟଟି ୭.୬୫ ଏମ୍‌ଏମ୍‌) ଓ କିଛି ଗୁଳି ଜବତ କରିଛି। ଏହାକୁ ମିଶାଇ କମିସନରେଟ୍‌ ପୁଲିସ ୩ ମାସରେ ତିନିଥର ଏନ୍‌କାଉଣ୍ଟର୍‌ କଲାଣି ଏବଂ ୪ ଜଣ ଅନ୍ତଃରାଜ୍ୟ ଲୁଟେରା ଘାଇଲା ହୋଇଛନ୍ତି। ଗତ ୨୦ ତାରିଖ ଦିନ ଏହି ଲୁଟେରାଯୋଡ଼ି ରାଜଧାନୀରେ ୬ଟି ଚେନ୍‌ ଛିନ୍‌ତାଇ କରିଥିଲେ। ଦିନକରେ ଛଅଟି ଛିନ୍‌ତାଇ ଘଟଣା ପୁଲିସର ନିଦ ହଜାଇ ଦେଇଥିଲା। କଳା ପଲସର୍‌ରେ ବୁଲିବୁଲି ଏହି ଯୋଡ଼ି ଲୁଟ୍‌ କରିବା ପରେ ହଠାତ୍ ଗାଏବ ହୋଇଯାଇଥିଲେ। ପୁଲିସ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରି ଏହି ଯୋଡ଼ିଙ୍କୁ ଚିହ୍ନଟ କରିଥିଲା। କିନ୍ତୁ ସେମାନେ ବିହାର ପଳାଇଥିବାରୁ ପୁଲିସ ସେମାନଙ୍କ ଲେଉଟାଣିକୁ ଅପେକ୍ଷା କରିଥିଲା। ଗତକାଲି ଏହି ଲୁଟେରା ଯୋଡ଼ି ଭୁବନେଶ୍ବର ଫେରିବା ଜାଣି ପୁଲିସ ପିଛା କରୁଥିଲା। ଆଜି ରାତି ପ୍ରାୟ ୯ଟା ବେଳେ ପୁଲିସ ଟିମ୍‌ ଉଭୟଙ୍କୁ ଟଙ୍କପାଣି ବ୍ରିଜ୍‌ ନିକଟରେ ଠାବ କରିଥିଲେ।