ଆଜି ଖଡ଼ିଛୁଆଁ ଉତ୍ସବ: ବଡ଼ଗଡ଼ ହାଇସ୍କୁଲରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ
ଆଜିଠୁ ସାରା ରାଜ୍ୟରେ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିସହ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ପ୍ରଥମ ଥର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବେ। ସକାଳ ୯ଟା ୧୫ରେ ହେବାକୁ ଥିବା ଏହି ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ବିଧାୟକମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ସମସ୍ତ ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହାକୁ ବାସ୍ତବତାର ରୂପ ଦେବାକୁ ନୂତନ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ସହ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ସ୍ତରରେ ଶିଶୁବାଟିକା ବ୍ୟବସ୍ଥାର ଶୁଭାରମ୍ଭ କରୁଛୁ। ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ହେଉଛି। ଯାହାକି ସେମାନଙ୍କ ନାମଲେଖା ଓ ପ୍ରଥମ ଦିନକୁ ସ୍ମରଣୀୟ କରାଇବ। ପିଲାଙ୍କୁ ଏକ ସଶକ୍ତ, ଆଧୁନିକ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ଆମର ଲକ୍ଷ୍ୟ। ସମସ୍ତେ ଏହି ଉତ୍ସବରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
