ତିନିମାସ ମଧ୍ୟରେ ଟ୍ରାଫିକ୍ ଇ-ଚାଲାଣ ପୈଠ ନ କଲେ ଡିଏଲ୍ ବାତିଲ!

ଟ୍ରାଫିକ୍ ଜରିମାନା ପୈଠ ନ କଲେ ଡିଏଲ୍ ବାତିଲ!

ତିନିମାସ ମଧ୍ୟରେ ଟ୍ରାଫିକ୍ ଇ-ଚାଲାଣ (ଜରିମାନା) ରାଶି ପୈଠ କରିବେ ନାହିଁ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ବାତିଲ୍ କରାଯାଇପାରେ। ପୁଣି ଯେଉଁମାନେ ଗୋଟିଏ ଆର୍ଥିକ ବର୍ଷରେ ରେଡ୍ ସିଗନାଲ୍ ଡେଇଁବା କିମ୍ବା ବିପଜ୍ଜନକ ଡ୍ରାଇଭିଂ ପାଇଁ ତିନୋଟି ଚାଲାଣ ଜମା କରିଛନ୍ତି, ସେମାନଙ୍କ ଲାଇସେନ୍ସ ଅତି କମ୍‌ରେ ତିନି ମାସ ପାଇଁ ଜବତ ହୋଇପାରେ। ଇ-ଚାଲାଣ ରାଶି ମାତ୍ର ୪୦% ଆଦାୟ ହୋଇଥିବା ଜଣାପଡ଼ିବା ପରେ ସରକାର ଦୋଷୀ ଚାଳକଙ୍କ ଉପରେ ଲଗାମ ଲଗାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ଯଦି କୌଣସି ବ୍ୟକ୍ତିଙ୍କର ପୂର୍ବ ଆର୍ଥିକ ବର୍ଷରୁ ଅତି କମ୍‌ରେ ଦୁଇଟି ବକେୟା ଚାଲାଣ ଅଛି ତେବେ ତାଙ୍କ ଉପରେ ଅଧିକ ବୀମା ପ୍ରିମିୟମ ଲାଗୁ କରିବା ପାଇଁ ମଧ୍ୟ ସରକାର ଏକ ରଣନୀତି ପ୍ରସ୍ତୁତ କରିଛନ୍ତି।କେନ୍ଦ୍ରୀୟ ମୋଟର ଯାନ ଆଇନ ଅନୁଯାୟୀ ଇଲେକ୍ଟ୍ରୋନିକ୍ ମନିଟରିଂର କାର୍ଯ୍ୟକାରିତା ସମ୍ପର୍କରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ୨୩ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବିବରଣୀ ପ୍ରସ୍ତୁତ କରାଯାଇଛି। ଏହି ଆଇନର ଧାରା ୧୩୬ଏରେ ସ୍ପିଡ୍-ସିସିଟିଭି କ୍ୟାମେରା, ସ୍ପିଡ୍-ଗନ୍, ବଡି-ଵର୍ଣ୍ଣ କ୍ୟାମେରା ଓ ଅଟୋମେଟିକ୍ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା ଭଳି ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ କରାଯାଇଛି। ଏହା ଉତ୍ତମ ଟ୍ରାଫିକ୍ ପରିଚାଳନା ଓ ଟ୍ରାଫିକ୍ ଆଇନର ଅନୁପାଳନକୁ ସୁନିଶ୍ଚିତ କରିବ। ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲା ଅଧିକ, ସେଗୁଡ଼ିକ ମଧ୍ୟରୁ ଦିଲ୍ଲୀରେ ଇ-ଚାଲାଣ ମାଧ୍ୟମରେ ଜରିମାନା ଆଦାୟ ହାର ସର୍ବନିମ୍ନ ୧୪% ରହିଛି। ତା’ ପଛକୁ କର୍ଣ୍ଣାଟକ ୨୧%, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ (ପ୍ରତ୍ୟେକ ୨୭% ଲେଖାଏଁ) ଓ ଓଡ଼ିଶା ୨୯% ରହିଛନ୍ତି। ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ହରିୟାଣାରେ ଆଦାୟ ହାର ୬୨ରୁ ୭୬ ପ୍ରତିଶତ ରହିଛି।