୮ ଜିଲ୍ଲାରେ ନୂଆ ମେଡିକାଲ କଲେଜ: ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍ ପାରିତ
ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଆଧାରରେ ଚଳିତବର୍ଷ ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁର, ଢେଙ୍କାନାଳରେ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ମେଡିକାଲ କଲେଜ କାମ ଆରମ୍ଭ ହେବ। ସେହିପରି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝରରେ ବିଡିଏସ୍ ପାଠ୍ୟକ୍ରମ ପାଇଁ ଡେଣ୍ଟାଲ୍ କଲେଜ, ରାଇରଙ୍ଗପୁରରେ ଆୟୁର୍ବେଦିକ ମେଡିକାଲ କଲେଜ ନିର୍ମାଣ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଧେୟକ ଆଲୋଚନାର ଉତ୍ତର ରଖିବାବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ବଜେଟ୍ରେ କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ରକୁ ଅଧିକ ଅର୍ଥ ଦେଇଛୁ। ଗୃହରେ ଏବେ ବସିଥିବା ବିଧାୟକଙ୍କ ମଧ୍ୟରୁ ଅନେକ ଧାନର ଏମ୍ଏସ୍ପି ୨୯୫୦ ଟଙ୍କା କରିବାକୁ ସର୍ବସମ୍ମତିରେ ନିଷ୍ପତ୍ତି ନେଇଥିଲେ। ହେଲେ ଚାଷୀଙ୍କୁ ୧୦୦ ଟଙ୍କାର ବୋନସ୍ ଦେଇପାରିଲେନି। ଆମେ ୮୦୦ ଟଙ୍କା ଦେଲୁ। ଚାଷୀ ଧାନ କ୍ବିଣ୍ଟାଲ୍ ୩୧୦୦ ଟଙ୍କାରେ ବିକିଲା। ତୁମ ମୁଖିଆଙ୍କୁ ଯାଇ ପଚାର ଆମେ ୧୦୦ ଟଙ୍କା ଦେଇପାରିଲୁନି, ସେମାନେ କେମିତି ୮୦୦ ଟଙ୍କା ଦେଲେ? ତୁମେ ଯଦି ୧୦୦ ଟଙ୍କା ସେତେବେଳେ ଦେଇଥାନ୍ତ ବହୁ ଚାଷୀ ଉପକୃତ ହୋଇଥାନ୍ତେ। ବଜେଟ୍ ଅର୍ଥ ଖର୍ଚ୍ଚ କରିପାରୁନ ବୋଲି କହୁଛ, ହେଲେ ଆମେ ବର୍ତ୍ତମାନ ସୁଦ୍ଧା ୨୦୨୩-୨୪ ତୁଳନାରେ ୧୬ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛୁ। ମୋଟ୍ ବଜେଟ୍ର ୭୮% ଖର୍ଚ୍ଚ ହୋଇଛି। ଆଉ ତିନି ଦିନ ବାକି ଅଛି। ଏଥିେର ଏହା ୮୦ରୁ ୮୧%ରେ ପହଞ୍ଚିଯିବ। ଆମର ଋଣ ଭାର ନିୟନ୍ତ୍ରଣରେ ଅଛି।
