ଆଜି ବସିବ ନୀତି ବୈଠକ

ଆଜି ବସିବ ନୀତି ସବ୍-କମିଟି ବୈଠକ । ମହାପ୍ରଭୁଙ୍କ ନୀତି ବାବଦରେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି । ନୀଳାଦ୍ରି ବିଜେକୁ ୨୭ ଦିନ ବିତିଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ହୋଇପାରିନାହିଁ । ଶ୍ରୀମନ୍ଦିର ପ୍ରଶାସନକୁ ହେୟଜ୍ଞାନ କରି ଚାଲିଛନ୍ତି ଦତ୍ତ ମହାପାତ୍ର ସେବକ । ବୁଧବାର କିମ୍ବା ଓ ଗୁରୁବାର ବନକଲାଗି ହୋଇପାରିନାହିଁ । ଆସନ୍ତା ବୁଧବାର ବନକଲାଗି କରିବାକୁ ଦତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ବନକଲାଗି ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ।

ବୈଠକରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କେବେ ଓ କେଉଁଦିନ ହେବ, ସେନେଇ ନିଷ୍ପତ୍ତି ହେବ । ବୈଠକର ଚୂଡ଼ାନ୍ତ ନିଷ୍ପତ୍ତି ଅନୁସାରେ ବନକଲାଗି ନୀତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ମୁଖ୍ୟ ପ୍ରଶାସକ । ଗତ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନକଲାଗି ନୀତି କରିବା ପାଇଁ ଦତ୍ତମହାପାତ୍ର ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଗୁରୁବାର ବନକଲାଗି କରିବାକୁ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ଆସିଥିଲେ ଦତ୍ତ ମହାପାତ୍ର ସେବାୟତ । ବନକ ଘରେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ନୀତି ନ କରିବାକୁ କହିଥିଲେ ଶ୍ରୀମନ୍ଦିର କମାଣ୍ଡର । ତେଣୁ ସେବକମାନେ ମୁଖ୍ୟ ପ୍ରଶାସକଙ୍କୁ ଭେଟି ବନକଲାଗି ନୀତି କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ ।