ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ

ଆଉ ଶୁଭିବନି ‘ମୁଁ ଦଣ୍ଡା ବାଳୁଙ୍ଗା’..

ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ। ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଉଜ୍ଜ୍ବଳ ତାରକା। ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍‌ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି। ୨୩ ଡିସେମ୍ବର ୧୯୫୮ରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ। ପ୍ରଥମରୁ ଅଭିନେତା ହେବାର ଲକ୍ଷ୍ୟ ନଥିଲେ ମଧ୍ୟ ୧୯୭୭ ମସିହାରେ ସେ ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେମା ଜଗତରେ ପାଦ ଥାପିଥିଲେ। ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚତ୍ରି ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାର ହାତେଇଥିଲେ । ତେବେ ଉତ୍ତମଙ୍କ ଅଭିନୀତ ଦଣ୍ଡା ବାଳୁଙ୍ଗା ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା । ୧୯୮୭ ମସିହାରେ ଓଲିଉଡ କ୍ୱିନ୍ ଅପରାଜିତଙ୍କୁ ସେ ବିବାହ କରିଥିଲେ । ତାଙ୍କର ଏକମାତ୍ର ପୁଅ ବାବୁସାନ ଓଲିଉଡ଼ର ଜଣେ ଜଣାଶୁଣା ଅଭିନେତା ।ସେହିପରି ତୋ ବିନୁ ଅନ୍ୟଗତି ନାହିଁ ଫିଲ୍ମ ପାଇଁ ଉତ୍ତମ ମହାନ୍ତି ୧୯୯୧ରେ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଥିଲେ। ୧୯୮୪ରେ ଦଣ୍ଡା ବାଳୁଙ୍ଗା ପାଇଁ ତାଙ୍କୁ ରାଜ୍ୟ ସରକାର ଶ୍ରେଷ୍ଠ ଅଭିନେତା ପୁରସ୍କାର ଦେଇଥିଲେ । ୧୯୮୩ରେ ମଧ୍ୟ ସେ ଝିଅଟି ସୀତା ପରି ପାଇଁ ରାଜ୍ୟ ଫିଲ୍ମ ପୁରସ୍କାର ଜିତିଥିଲେ। ୧୯୮୨ରେ ଫୁଲ ଚନ୍ଦନ ପାଇଁ ମଧ୍ୟ ତାଙ୍କୁ ରାଜ୍ୟ ଫିଲ୍ମ ପୁରସ୍କାର ମିଳିଥିଲା । ସେ ଓଡ଼ିଆ ସିନେମାର ଏକମାତ୍ର ଅଭିନେତା ଯିଏ ୧୯୮୨,୧୯୮୩ ଓ ୧୯୮୪ କ୍ରମାଗତ ୩ ବର୍ଷ ଧରି ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।