ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା, ୧୮ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା । ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ମହାକୁମ୍ଭ ଯିବା ପାଇଁ ନୂଆଦିଲ୍ଲୀ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା। ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭିଡ଼ ଯୋଗୁ ଏହି ଅଘଟଣ ଘଟିଥିଲା। ତେବେ ଏହି ଦଳାଚକଟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ। ରାତି ୧୦ଟା ବେଳେ ଯାତ୍ରୀମାନେ ଟ୍ରେନରେ ପ୍ରୟାଗରାଜ ଯିବା ପାଇଁ ଠେଲାପେଲା ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଅଘଟଣ ପରେ ମୃତକ ପରିବାରକୁ ଆର୍ଥିକ ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀ ଷ୍ଟେସନ ଦଳାଚକଟା ଘଟଣା ପରେ ଘଟଣା ସ୍ଥଳରେ ବ୍ୟାପକ ସଂଖ୍ୟାରେ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ଦିଲ୍ଲୀ ପୋଲିସ, ରେଲୱେ ପୋଲିସ ଓ ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି। ଏହାଛଡ଼ା ଯାତ୍ରୀ ଭିଡ଼ କମାଇବାକୁ ତୁରନ୍ତ ୪ଟି ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଥିବା ବେଳେ ଆଉ ଅଧିକ ଟ୍ରେନ ବ୍ୟବସ୍ଥା କରିବାକୁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଅଘଟଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟାରେ ଜୀବନହାନୀ ହୋଇଥିବା ଘଟଣା ଜାଣି ମୁଁ ଗଭୀର ମର୍ମାହତ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
