ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା

ଫେବ୍ରୁଆରୀ ୨୦ ତାରିଖରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୨୦୨୪ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ଏନେଇ ତାରିଖ ଘୋଷଣା କରିଛି ବୋର୍ଡ । ଆସନ୍ତା ମାଟ୍ରିକ ପରୀକ୍ଷା ନିମନ୍ତେ ତାରିଖ ଘୋଷଣା ହେବା ସହ ପୂର୍ବ ପ୍ରସ୍ତୁତି ନେଇ ବୋର୍ଡ ତୟାର ଥିବା ଦେଖିବାକୁ ମିଳିଛି । ବୋର୍ଡର ସୂଚନା ଅନୁସାରେ ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ। ପୁରୁଣା ଢାଞ୍ଚାରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଶତ ପ୍ରତିଶତ ସିଲାବସ୍‌କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ଓ ପିଲାମାନେ ଶହେ ମାର୍କର ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରାୟ ୬ ମାସ ପୂର୍ବରୁ ପରୀକ୍ଷା ତାରିଖ ସମ୍ପର୍କରେ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି , ଏଣୁ ସମୟ ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ।

ସୂଚନା ଅନୁଯାୟୀ, ଆସନ୍ତା ମାଟ୍ରିକରେ ହେବନି ସମ୍ମେଟିଭ । ଏହା ପରେ ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବା। ଏହା ଅତିକମ୍‌ରେ ୧୨ ଦିନ ଚାଲିବ। ଏଥର ରାଜ୍ୟରେ ୫ ଲକ୍ଷ ୭୨ ହଜାର ପିଲା ଦଶମ ଶ୍ରେଣୀରେ ନାମ ଲେଖାଇଛନ୍ତି। ସେମାନଙ୍କ ମଧ୍ୟରୁ ସାଢେ ୫ ଲକ୍ଷ ପିଲା ପରୀକ୍ଷା ଦେବେ ବୋଲି ଆଶା କରାଯାଉଥିବା ବୋର୍ଡ ଡାଇରେକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।