ଭାରତ-ଆମେରିକା ସମ୍ପର୍କ ଅତୁଟ
ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଭାରତ-ଆମେରିକା ସମ୍ପର୍କଠାରୁ ଆରମ୍ଭ କରି ୟୁକ୍ରେନ-ରୁଷ ଯୁଦ୍ଧ, ବାଣିଜ୍ୟ ଶୁଳ୍କ, ବେଆଇନ ଶରଣାର୍ଥୀ ପ୍ରତ୍ୟର୍ପଣ ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭାରତ-ଆମେରିକା ସମ୍ପର୍କରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ଏହି ସମ୍ପର୍କ ଆହୁରି ଦୃଢ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ ଓ ମୋଦି । ଏହି ଅବସରରେ ପିଏମ୍ ମୋଦି କହିଛନ୍ତି, ଭାରତ-ଆମେରିକା ସମ୍ପର୍କ ଅତୁଟ ।ଭାରତର ସ୍ବାର୍ଥ ପ୍ରଥମେ, ତାପରେ ଯାହା । ତା’ସହ ରୁଷ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ମୋଦି କହିଛନ୍ତି, ବର୍ତ୍ତମାନ ଯୁଗ ଯୁଦ୍ଧର ସମୟ ନୁହଁ ।

ଦୁଇ ଦେଶ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ଏମିତିକି ଏ କଥା ସେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଭାରତ ସାରା ବିଶ୍ବରେ ଶାନ୍ତି କାମନା କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅବସରରେ ପିଏମ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଛି । ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଇଛି । ଏମିତିକି ଏହି ସମୟରେ ଟ୍ରମ୍ପ ବାରମ୍ବାର ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆମେ ତୁମକୁ ବହୁତ ମିସ୍ କରୁଥିଲୁ । ଆମେରିକା ହେଉଛି ବିଶ୍ବରେ ସବୁଠୁ ପୁରୁଣା ଗଣତନ୍ତ୍ର ରାଷ୍ଟ୍ର । ହେଲେ ଭାରତ ହେଉଛି ବିଶ୍ବର ସବୁଠୁ ବଡ ଗଣତନ୍ତ୍ର ରାଷ୍ଟ୍ର । ତେଣୁ ଯେତେବେଳେ ଭାରତ ଓ ଆମେରିକା ଏକାଠି ହେବେ ସେତେବେଳେ ୱାନ ପ୍ଲସ ଓ୍ୱାନ ଦୁଇ ନୁହେଁ, ୧୧ ହୋଇଯିବ । ଏହା ହେଉଛି ପାଓ୍ୱାର ଅଫ୍ ଇଲେଭେନ ବୋଲି ମୋଦି କହିଛନ୍ତି । ତେଣୁ ସମୃଦ୍ଧି ପାଇଁ ଉଭୟ ଦେଶ ଆଗକୁ ବଢିବା ନେଇ ଆଶା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବେଆଇନ ଇମିଗ୍ରେସନ ପ୍ରସଙ୍ଗରେ ମୋଦି କହିଛନ୍ତି ଯେ, ଯେଉଁମାନେ ବେଆଇନ ଭାବେ ଅନ୍ୟ ଦେଶରେ ରହୁଛନ୍ତି, ସେମାନଙ୍କର କୌଣସି ଆଇନଗତ ଅଧିକାର ନାହିଁ । ଯଦି ସେମାନେ କୌଣସି ଭାରତୀୟ ଶରଣାର୍ଥୀ ବେଆଇନ ଭାବେ ଆମେରିକାରେ ରହୁଛନ୍ତି, ତେବେ ଭାରତ ସେମାନଙ୍କୁ ନେବାକୁ ପ୍ରସ୍ତୁତ । ସେମାନଙ୍କୁ ବଡ ବଡ ସ୍ବପ୍ନ ଦେଖାଇ କେହି ସେଠାକୁ ନେଇଛନ୍ତି । ତେଣୁ ମିଳିତ ଭାବେ ଏ କ୍ଷେତ୍ରରେ ଭାରତ ଓ ଆମେରିକାର ପ୍ରୟାସ ରହିବା ଉଚିତ ।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଚଳିତ ବର୍ଷଠାରୁ ଆମେରିକା ଭାରତକୁ ଅନେକ କୋଟି ଡଲାରରେ ସାମରିକ ଜିନିଷ ଯୋଗାଇବ । F35 ଷ୍ଟିଲଥ୍ ଫାଇଟର ସାମରିକ ବିମାନ ଯୋଗାଇବ । ତେବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହଁନ୍ତି, ବୈଦେଶିକ ବ୍ୟାପାର ଏସ. ଜୟଶଙ୍କରଙ୍କ ସହ ଭାରତରୁ ପ୍ରତିନିଧି ମଣ୍ଡଳୀ ଆମେରିକା ଗସ୍ତ କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଆମେରିକାର ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ବାତ୍ରା ପ୍ରମୁଖଙ୍କୁ ହ୍ବାଇଟ ହାଉସରେ ଦେଖିବାକୁ ମିଳିଥିଲା।
