କାଲିଠୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ

ବିଧାନସଭା ପାଇଁ ଟ୍ରାଫିକ କଟକଣା ଜାରି

ଆସନ୍ତାକାଲିଠୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ଏପ୍ରିଲ ୫ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ୧୩ରୁ ୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଅପ୍ରେଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ଅଧିବେଶନ କାଳରେ ଯାନବାହନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାରେ କମିସନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି ।

ତେବେ ଜାଣନ୍ତୁ ଏହି ଅବଧି ମଧ୍ୟରେ କେଉଁ ମାର୍ଗ ଦେଇ ଯାତାୟାତ କରିବେ…

ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।

ଏ.ଜି. ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ଵରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।

ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ ।

୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ପାୱାର ହାଉସ୍ ଛକ ଦେଇ ଯିବେ ।

ରାଜଭବନ ଛକ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ ।

ଏହି କଟକଣା ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଗାଡ଼ି (ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ) ଏବଂ ବିଧାନ ସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ । ଉପରୋକ୍ତ କଟକଣା ବିଧାନସଭା ଚାଲୁଥିବା ସମୟରେ ବଳବତ୍ତର ରହିବ।