ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଲଘୁଚାପ ସକ୍ରିୟ ଥିବା ଯୋଗୁଁ ଆସନ୍ତା ୩୦ତାରିଖ ଯାଏଁ ବର୍ଷାରୁ ନିସ୍ତାର ନାହିଁ। ବିଶେଷ କରି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଜି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ ଲଘୁଚାପ ଅଧିକ ଘନୀଭୂତ ହୋଇପାରୁନାହିଁ। ତେଣୁ ଏହା ଅବପାତରେ ପରିଣତ ନହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଅଜିଠୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି,ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ୨୮ ତାରିଖରେ ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର,ବରଗଡ଼ ଓ ମୟୂରଗଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଗକୁ ଆଊ ଏକ ଲଘୁଚାପ ଆସୁଥିବାରୁ ଏହି ବର୍ଷାର ପରିମାଣ ବଢିବ। ବ୍ୟାକ ଟୁ ବ୍ୟାକ ଲଘୁଚାପ ଯୋଗୁଁ ଆସନ୍ତା ୨୯ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରାଯାଇଛି। ଉପକୂଳ ଓଡ଼ିଶାରେ ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ଥିବାରୁ ତୁହାକୁ ତୁହା ବର୍ଷା ଲାଗି ରହିବ। ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଆଜି ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ଆଜି ସକାଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ବର୍ଷା ଲାଗି ରହିବା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ଏବଂ ଗମନାଗମନରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଏନେଇ ସତର୍କ ସୂଚନା ଜାରି କରାଯାଇଛି।