ପଦ୍ମବେଶରେ ଦର୍ଶନ ଦେବେ ମହାବାହୁ
ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଗିନୀ ମା’ ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମାଘମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ଭିତରେ ପଡ଼ୁଥିବା ବୁଧବାର ଅବା ଶନିବାର ଦିନ ବଡ଼ସିଂହାର ବେଶରେ ଏହି ବେଶ ଲାଗି ହୋଇଥାଏ । ମାଘମାସରେ ବୁଧବାର ନୀଳ ଘୋଡ଼ ଓ ଶନିବାର କଳାଘୋଡ଼ ଲାଗି ସମୟରେ ଶ୍ରୀଜିଉ ପଦ୍ମବେଶ ହୋଇଥାନ୍ତି । ନୀଳ ଅବା କଳା ଘୋଡ଼ ଲାଗି ସମୟରେ ପଦ୍ମବେଶ ହେଲେ ଗଭୀର ଜଳରାଶିରେ ପଦ୍ମ ଫୁଟିଲା ଭଳି ଦିଶିବା ସହ ମହାପ୍ରଭୁ ଆହୁରି ସୁନ୍ଦର ଦେଖାଯାଆନ୍ତି। ବଡ଼ସିଂହାର ବେଶରେ କିଛି ଭକ୍ତ ଏହି ବେଶ ଦର୍ଶନ କରିଥାନ୍ତି । ସେହିଦିନ ରାତ୍ର ପହୁଡ଼ ପରେ ଭକ୍ତମାନେ ପରଦିନ ମଙ୍ଗଳ ଆଳତୀ ପରେ ପରେ ଏହି ବେଶ ଦର୍ଶନ କରିଥାନ୍ତି। ଅବକାଶ ପରେ ପଦ୍ମବେଶ ଓଲାଗି କରି ଦିଆଯାଏ । ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥାଏ। ପଦ୍ମବେଶରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ଅମାଲୁ, କ୍ଷୀରି ଭୋଗ କରାଯାଇଥାଏ । କୋଠ ଭୋଗରେ ଲାଗି ହେଉଥିବା ଏହି କ୍ଷୀରି, ଅମାଲୁ ପାଇଁ ବଡ଼ଛତା ମଠ ପକ୍ଷରୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ । ବେଶ ପ୍ରସ୍ତୁତି ପାଇଁ ସୋଲ, ବାଉଁଶ, ସନ୍ତରା ପଟ, ପଇତା, କନା, ଜରି, ଡୋରି, କଇଁଥ ଅଠା ଆଦି ଆବଶ୍ୟକ ପଡ଼ିଥାଏ। ଏଥିପାଇଁ ବହୁ ପୂର୍ବରୁ ଆବଶ୍ୟକ ସାମଗ୍ରୀ ବଡ଼ଛତା ମଠ ପକ୍ଷରୁ ଯୋଗାଡ଼ କରାଯାଇଥାଏ। ଏହି ବେଶ ସାମଗ୍ରୀ କାରିଗରଙ୍କ ଜିମାରେ ଦିଆଯିବା ପରେ ପଣ୍ଡୁ ପୂର୍ଣ୍ଣିମାରୁ ବେଶ କାମ ଆରମ୍ଭ ହୋଇଥାଏ।
