ଓଲଟିଲା ପିକ୍ଅପ୍ ଭ୍ୟାନ: ଜଣେ ଛାତ୍ର ମୃତ, ୨୦ ଆହତ
ଓଲଟିଲା ପିକ୍ଅପ୍ ଭ୍ୟାନ, ଜଣେ ଛାତ୍ର ମୃତ, ୨୦ ଛାତ୍ରଛାତ୍ରୀ ଆହତ । ପରେଡରେ ଅଂଶ ଗ୍ରହଣ କରିବାକୁ ଯାଉଥିଲେ ସ୍କୁଲ ପିଲା। ଅଧବାଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ୍। କଟକ ଜିଲ୍ଲା ବାଙ୍କୀ ଥାନା ନିକଟରେ ଏହି ଦୁର୍ଘଟଣାରେ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସୌମ୍ୟ ରଞ୍ଜନ ବେହେରା। ସେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ। ମୃତାହତ ପିଲାମାନେ କଟକର ବାଙ୍କି ଥାନା ମାଳବିହାରାପୁର ହାଇସ୍କୁଲ ସ୍କୁଲର ବୋଲି ଜଣାଯାଇଛି। ସକାଳୁ ମାଳବିହାରାପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ କରି ସାରି ସରଣ୍ଡା ପ୍ୟାରେଡ୍ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିଥାନ୍ତେ। ନିଜ ସ୍କୁଲଠାରୁ ୩ରୁ୪ କିମି ଦୂରରେ ସରଣ୍ଡା ପ୍ୟାରେଡ୍ ଗ୍ରାଉଣ୍ଡ। ଏଥିପାଇଁ ପିଲାମାନେ ଏକ ପିକଅପ୍ ଭ୍ୟାନରେ ଯାଉଥିଲେ। ବାଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
