ଦିଲ୍ଲୀରେ କେନ୍ଦ୍ର ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ
ଦିଲ୍ଲୀରେ ଅଧିକାରୀମାନଙ୍କର ଟ୍ରାନ୍ସଫର ଓ ନିଯୁକ୍ତି ଉପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । ସରକାର ଏବେ ଏହି ଅଧ୍ୟାଦେଶକୁ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବେ । କେନ୍ଦ୍ର ସରକାର ମେ ମାସ ୧୯ ତାରିଖରେ ଏହି ଅଧ୍ୟାଦେଶ ଜାରି କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ଦିଲ୍ଲୀ ପାଇଁ ଅଣାଯାଇଥିବା ଅଧ୍ୟାଦେଶରେ ଗ୍ରୁପ-ଏ ଅଧିକାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଓ ଟ୍ରାନ୍ସଫର ପାଇଁ ରାଷ୍ଟ୍ରୀୟ ରାଜଧାନୀ ସିଭିଲ ସେବା ପ୍ରାଧିକରଣ ସ୍ଥାପନ କରିବାର ପ୍ରସ୍ତାବ ରହିଛି । ସରକାରଙ୍କ ତରଫରୁ ସେତେବେଳେ ଅଧ୍ୟାଦେଶ ଅଣାଯାଇଥାଏ ଯେତେବେଳେ ସଂସଦରେ କୌଣସି ଅଧିବେଶନ ଚାଲୁ ନଥାଏ । ହେଲେ ଅଧ୍ୟାଦେଶ ଆଣିବାର ୬ ସପ୍ତାହ ମଧ୍ୟରେ ଏହାକୁ ସଂସଦରେ ପାରିତ କରିବା ଦରକାର । କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଦିଲ୍ଲୀର ଆପ୍ ସରକାର ଜୋରଦାର ବିରୋଧ କରିଛି । ଏଭଳି ଅଧ୍ୟାଦେଶକୁ ଆପ୍ ସରକାର ଅସାମ୍ବିଧାନିକ ବୋଲି କହିଛି । ଏହି ମାମଲାରେ ସୁପ୍ରିମକୋର୍ଟର ୫ ଜଣ ବିଚାରପତି ସାମ୍ବିଧାନିକ ପୀଠକୁ ପଠାଇ ଦେଇଛନ୍ତି । ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଏହି ଅଧ୍ୟାଦେଶ ବିରୋଧରେ ସମର୍ଥନ ଯୋଗାଡ କରିବାକୁ ତମାମ୍ ବିରୋଧୀଦଳ ନେତାଙ୍କୁ ଭେଟିଥିଲେ ।