ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ବଡ ପ୍ରଶ୍ନ
ନବ ଦାସ ହତ୍ୟାକୁ ନେଇ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ପ୍ରଶ୍ନ। ଏବେ ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଏକ ବଡ ପ୍ରଶ୍ନ ଠିଆ ହୋଇଛି। ବର୍ତ୍ତମାନ ନବଙ୍କର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଭିନ୍ନ ଭିନ୍ନ ମିଳିଛି। ଯାହାକୁ ନେଇ ପ୍ରଶ୍ନ ଉଠିଛି।ରିପୋର୍ଟ ଅନୁସାରେ ୨୯ ତାରିଖ ରାତି ୧୦ଟା ୪୫ରେ ପୋଷ୍ଟମର୍ଟମ ହୋଇଥିଲା। ପୋଷ୍ଟମର୍ଟମର ୬ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସୂଚନା ଅନୁସାରେ ୨୯ ତାରିଖ ଦିନ ୧୨ଟା ୧୫ରେ ନବଙ୍କୁ ଗୁଳି କରାଯାଇଥିଲା। ଘଟଣା ପରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା, ସେଠାରୁ ଆପୋଲୋ ଅଣାଯାଇଥିଲା। ଏୟାରଲିଫ୍ଟ କରାଯାଇ ଝାରସୁଗୁଡ଼ାରୁ ଆପୋଲୋ ଅଣାଯାଇଥିଲା। ବର୍ତ୍ତମାନ ଆପୋଲୋରେ ପହଞ୍ଚିବା ପରେ ନା ପହଞ୍ଚିବା ପୂର୍ବରୁ ମୃତ୍ୟୁ ତାକୁ ନେଇ ପ୍ରଶ୍ନ ଉଠିଛି। ରିପୋର୍ଟରେ ତଥ୍ୟ ଭିନ୍ନଭିନ୍ନ ଥିବା ଏବେ ସନ୍ଦେହକୁ ଆହୁରି ବଢାଉଛି।କ’ଣ ଆପୋଲୋ ହସ୍ପିଟାଲ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ? ହୃତପିଣ୍ଡ ବ୍ୟାପକ କ୍ଷତିଗ୍ରସ୍ତରୁ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ ଚିକିତ୍ସା ଚାଲିଥିବାବେଳେ ହସ୍ପିଟାଲରେ ମୃତ୍ୟୁ ଘଟିଥିବା କ୍ରାଇମବ୍ରାଞ୍ଚ କହୁଛି। ଏଭଳି ଭିନ୍ନ ଭିନ୍ନ ରିପୋର୍ଟ ଯୋଗୁଁ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।
