ଇତିହାସ ରଚିଲା ଇସ୍ରୋ

ଇସ୍ରୋର ସ୍ପେଡେକ୍ସ ମିଶନ୍ ସଫଳ

ନୂଆ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍କା ଇସ୍ରୋ। ସଫଳ ହେଲା ଇସ୍ରୋର ସ୍ପେଡେକ୍ସ ମିଶନ। ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦିଆଯାଇଛି । ଭାରତୀୟ ବୈଜ୍ଞାନିକଙ୍କ ଏହି ସଫଳତା ପରେ ପ୍ରତି ଟି ଦେଶବାସୀ ଗର୍ବ ଅନୁଭବ କରୁଛନ୍ତି । ଗତ ଜାନୁୟାରୀ ୧୨ରେ ଇସ୍ରୋ ଦୁଇଟି ମହାକାଶ ଯାନକୁ ମହାକାଶରେ ୩ ମିଟର ଦୂରତା ମଧ୍ୟରେ ରଖିବାରେ ସମର୍ଥ ହୋଇଥିଲା। ଏହା ପରେ ଦୁଇଟି ଉପଗ୍ରହକୁ ଡକ୍‌ କରିବା ଲାଗି ନିଜର ପରୀକ୍ଷଣ ଆରମ୍ଭ କରିଥିଲା ଏବଂ ମହାକାଶ ଯାନ ଦୁଇଟିକୁ ସୁରକ୍ଷିତ ଦୂରତାକୁ ଫେରାଇ ନେଇଥିଲା। ଡିସେମ୍ବର ୩୦ ତାରିଖରେ ଇସ୍ରୋ ପକ୍ଷରୁ ସ୍ପେସ୍ ଡକିଂକୁ ପିଏସ୍‌ଏଲ୍‌ଭି ରକେଟ୍ ଜରିଆରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଥିଲା। ଏହି ଅଭିଯାନ ପାଇଁ ଇସ୍ରୋ ଦୁଇଟି ଉପଗ୍ରହ ବ୍ୟବହାର କରିଛି ଯାହାର ନାଁ ରହିଛି, ଚେଜର ଓ ଟାର୍ଗେଟ୍। ସେମାନଙ୍କ ଓଜନ ୨୨୦ କିଲୋଗ୍ରାମ ହେବ। ଇସ୍ରୋର ଏହି ମିଶନ ସଫଳ ହେବା ପରେ ଏପରି ଟେକ୍ନୋଲୋଜି ହାସଲ କରିବାରେ ଚତୁର୍ଥ ଦେଶ ହୋଇପାରିଛି ଭାରତ। ସ୍ପେଡେକ୍ସ ଟେକ୍ନୋଲୋଜି ବର୍ତ୍ତମାନ ଆମେରିକା, ରୁଷ ଓ ଚୀନ୍ ପାଖରେ ରହିଛି।ସ୍ପେଡେକ୍ସ ମିଶନ ଭାରତ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହାଦ୍ବାରା ଭାରତ ମହାକାଶରେ ଉପଗ୍ରହମାନଙ୍କର ଡକିଂ ପାଇଁ ଦରକାର ପଡୁଥିବା ବୈଷୟିକ ଜ୍ଞାନକୌଶଳକୁ ବିକଶିତ କରିପାରିବ। ଏହି ଜ୍ଞାନକୌଶଳ ଭବିଷ୍ୟତରେ ହେବାକୁ ଥିବା ମହାକାଶ ଅଭିଯାନ ଗୁଡ଼ିକ ଲାଗି ଅତି ଗୁରୁତ୍ବପୂର୍ଣ୍ଣ । ଏହି ସଫଳତା ପାଇଁ ଇସ୍ରୋ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି।