ବିଷାକ୍ତ କଫ ସିରପ୍ ଖାଇ ଶିଶୁ ମୃତ୍ୟୁ ମାମଲା

ଭାରତୀୟ ଔଷଧ କମ୍ପାନୀକୁ WHOର କ୍ଲିନଚିଟ୍

ବିଷାକ୍ତ କଫ୍ ସିରପ ନେଇ ପୂର୍ବରୁ ଡବ୍ଲୁଏଚ୍ଓ ଭାରତୀୟ ଔଷଧ କମ୍ପାନୀକୁ ଦେଇସାରିଛି ସତର୍କ ସୂଚନା । ଏହା ପରେ ଔଷଧ କମ୍ପାନି ମେଡେନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଦନ୍ତରେ କମ୍ପାନିକୁ କ୍ଲିନଚିଟ୍ ଦିଆଯାଇଛି । ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟି ମେଡେନ ଫାର୍ମାକୁ ନେଇ ତଦନ୍ତ ଶେଷ କରିଛି । କଫ୍ ସିରପ୍ ଉତ୍ପାଦନ ୟୁନିଟରେ ରଖାଯାଇଥିବା ୪ଟି ଯାକ ନିୟନ୍ତ୍ରିତ ନମୁନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତଦନ୍ତକାରୀ ଅଧିକାରୀମାନେ କିଛି ଭୁଲ୍ ପାଇନାହାନ୍ତି । ଫାର୍ମାକୋଲୋଜି ମୁଖ୍ୟ ଡାକ୍ତର ୟୁକେ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ମେଡେନ୍ ଫାର୍ମା ସହ ଜଡ଼ିତ ମାମଲାର ଯାଞ୍ଚ କରିଥିଲା । ଏପର୍ଯ୍ୟନ୍ତ ସରକାରଙ୍କୁ ଏହି ରିପୋର୍ଟ ଦିଆଯାଇନାହିଁ । ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କଂପାନିର ଉତ୍ପାଦନ ବନ୍ଦ ରହିବ। ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ଯେ ଗାମ୍ବିଆ ସରକାରଙ୍କ ନିଜସ୍ୱ ସନ୍ଧାନ ଥାଇପାରେ। କିନ୍ତୁ ଆମେ ଏଠାରେ କିଛି ଭୁଲ ପାଇନାହୁଁ । ଯଦି ଗାମ୍ବିଆ ସରକାରଙ୍କ ତରଫରୁ କୌଣସି ପ୍ରଶ୍ନ କିମ୍ବା ଯୋଗାଯୋଗ ହୁଏ, ତେବେ ଆମେ ଆମ ରିପୋର୍ଟ ଅନୁଯାୟୀ ଜବାବ ଦେବୁ । ଗତ ବର୍ଷ ଆଫ୍ରିକୀୟ ଦେଶ ଗାମ୍ବିଆରେ ଏହି କମ୍ପାନିର କଫ ସିରପ ଖାଇ ୬୬ ଶିଶୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହେବା ପରେ  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତାହା ଉପରେ ପ୍ରଶ୍ନ ଉଠାଇଥିଲା ।