ଲୋୟର ପିଏମଜିରେ ଗର୍ଜିବ ବିଜେଡି

ଆଜି ଆନ୍ଦୋଳନ କରିବ ବିଜେଡି

ଆଜି ଆନ୍ଦୋଳନ କରିବ ବିଜେଡି। ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ। ଲୋକସେବା ଭବନ ଆଗରେ ବଡ଼ ଆନ୍ଦୋଳନ ଡାକରା ଦେଇଛି ବିଜେଡି। ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ କରାଯିବ ଗଣବିକ୍ଷୋଭ । ପରେ ଏହି ଆନ୍ଦୋଳନକୁ ପଞ୍ଚାୟତ ସ୍ତରରେ କରିବ ଦଳ । ଦରଦାମ ବୃଦ୍ଧି ଯୋଗୁଁ ମହିଳା ସର୍ବାଧିକ କ୍ଷତି ସହୁଛନ୍ତି । ହାଣ୍ଡିଶାଳରେ ଚଡକ ପକାଇଛି ମହଙ୍ଗା ମାଡ଼ । ନିର୍ବାଚନ ସମୟରେ ବିଜେପି ଯେଉଁ ଉଜ୍ଜ୍ବଳା ଯୋଜନା କଲେ, ସେଥିରେ ସିଲିଣ୍ଡର ରିଫିଲିଂ ଖର୍ଚ୍ଚ ଅଧିକ ଥିବାରୁ, ମହିଳା ପୁଣି ଥରେ ଚୁଲି ମୁଣ୍ଡକୁ ଠେଲି ହୋଇଗଲେ । ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଦର କମିଲେ ବି ତେଲ ଦର କମୁନାହିଁ। ୨୦୧୪ରୁ କ୍ରମାଗତ ଭାବେ ଦର ଏପରି ବଢି ଚାଲିଛି ଯେ ଲୋକେ ଗାଡ଼ି ଚଲାଇବାକୁ ଭୟ କଲେଣି । ସୁଭଦ୍ରା ଯୋଜନା ଭେଳିକି କରି ଟଙ୍କା ଦିଆଗଲା । ଅନ୍ୟପଟେ ସୁଭଦ୍ରା ନାଁରେ ଡବଲ ପାଇପ ଲଗାଇ ଶୋଷଣ କରାଯାଉଥିବା ବିଜେଡି ଅଭିଯୋଗ କରିଛି ।ମହଙ୍ଗା ମାଡ଼ ବିରୋଧୀ ନାରା ଦେଇ ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲା ବିଜେପି । ହେଲେ ୧୦ ବର୍ଷରୁ ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ଅଭିଯୋଗ କରିଛି ବିଜେଡି । ଗତ ୬ ମାସରେ ଦେଶର ମୁଦ୍ରାସ୍ଫୀତି ୩୦ ପ୍ରତିଶତରୁ ଅଧିକ ରହିଛି । ଓଡ଼ିଶାରେ ଏହା ୭ ପ୍ରତିଶତ ରହିଛି । ଗାଁରେ ୮ ପ୍ରତିଶତରେ ପହଞ୍ଚିଛି । ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବା କଟାକ୍ଷ କରିଛି ବିଜେଡି ।

Leave a Reply

Your email address will not be published. Required fields are marked *