ପରିଚୟ ପତ୍ର ଦେଖାଇ ଦର୍ଶନ କରିବେ ପୁରୀବାସୀ
ଆଜିଠୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲା ହେଲା । କେବଳ ପୁରୀ ଲୋକ ଏହି ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଦାବି ପରେ ପ୍ରଶାସନ ନରମିଛି। କିନ୍ତୁ ଏଥି ପାଇଁ ଭକ୍ତମାନଙ୍କୁ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ବିନା ପରିଚୟପତ୍ରରେ ଭକ୍ତମାନେ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ନେଇଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଚାରିଦ୍ବାର ଖୋଲିବାକୁ ଦାବି କରିଥିଲେ। ଏ ସମ୍ପର୍କିତ ଦାବିପତ୍ର ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଓ ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କୁ ପ୍ରଦାନ କରିଥିଲେ । ତେବେ ସୁଦର୍ଶନ ଦାବି କରିଥିଲେ ଯେ ସ୍ଥାନୀୟ ଲୋକଙ୍କ ପାଇଁ ତୁରନ୍ତ ଗୋଟିଏ ଦ୍ୱାର ଖୋଲାଯାଉ । ଯଦି ଗୋଟିଏ ବି ଦ୍ୱାର ନ ଖୋଲାଯାଏ ତେବେ ଜୁଲାଇ ୨୪ ଠାରୁ ପଶ୍ଚିମ ଦ୍ଵାର ଆଗରେ ଧାରଣାରେ ବସିବି ବୋଲି ଚେତାବନୀ ଦେଇଥିଲେ। କୋଭିଡ-୧୯ ପରଠାରୁ ଶ୍ରୀମନ୍ଦିରର ଅନ୍ୟ ୩ ଦ୍ୱାର ବନ୍ଦ ରହିଛି। ତେବେ ତାଙ୍କ ଦାବି ପୂରଣ ହେବା ପରେ ପୁରୀବାସୀଙ୍କ ଖୁସି ଦ୍ବିଗୁଣିତ ହୋଇଛି ।