ଦୁର୍ବଳ ହେଲା ଲଘୁଚାପ, କମିବ ବର୍ଷା
ଦୁର୍ବଳ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ସାମାନ୍ୟ ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେଲା ଲଘୁଚାପ । ଆଜିଠୁ ବର୍ଷାର ପ୍ରଭାବ ଧିରେ ଧିରେ କମିବ । ବର୍ଷା କମିବା ପରେ ବଢ଼ିପାରେ କୁହୁଡ଼ି । ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଜାରି ରହିଛି । ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ତେବେ କାଲିଠାରୁ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ। ଘନ କୁହୁଡ଼ି ନେଇ ଆଜି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ସମ୍ଭାବନା ରହିଛି।
