X ପୋଷ୍ଟକୁ ନେଇ କ’ଣ ଚାଲିଛି ମସ୍କଙ୍କ ମୁଣ୍ଡରେ
ଖୁବ୍ ଶୀଘ୍ର ଆମେ ‘ଟୁଇଟର୍’ ‘ବ୍ରାଣ୍ଡ୍’ ଏବଂ ସବୁ ପକ୍ଷୀଙ୍କୁ ବିଦାୟ ଦେବୁ । ଏହା ଟୁଇଟ କରିଛନ୍ତି ‘ଟୁଇଟର୍’ ମାଲିକ ଏଲନ୍ ମସ୍କ୍ । ହଠାତ୍ ଏକ ରହସ୍ୟମୟ ‘ଟୁଇଟ୍’କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ । ଅନ୍ୟ ଏକ ‘ଟୁଇଟ’ରେ ସେ ଲେଖିଛନ୍ତି, ଆଜି ରାତିରେ ଯଦି ସବୁକୁ ସୁହାଇବା ଭଳି ‘ଏକ୍ସ୍’ ‘ଲୋଗୋ’ଟିଏ ପୋଷ୍ଟ କରାଯାଏ, ତେବେ ଆସନ୍ତାକାଲି ଆମେ ସମଗ୍ର ବିଶ୍ବରେ ସକ୍ରିୟ ରହିବୁ । ସୂଚନାଯୋଗ୍ୟ, କିଛି ଦିନ ହେବ ଏଲନ୍ ମସ୍କ୍ ‘ଏକ୍ସ୍’ କଥା ଚିନ୍ତା କରୁଛନ୍ତି। ଏପ୍ରିଲ୍ ମାସରେ ସେ ନୂଆ ‘ସିଇଓ’ ଲିଣ୍ଡା ୟାକାରିନୋଙ୍କୁ ସ୍ବାଗତ କରିବା ବେଳେ ଟୁଇଟ୍ କରିଥିଲେ, ଏହି ପ୍ଲାଟ୍ଫର୍ମ ଟୁଇଟର୍ କୁ ‘ଏକ୍ସ୍’ ରେ ପରିଣତ କରିବା ପାଇଁ ଲିଣ୍ଡାଙ୍କ ସହିତ ମିଶି କାମ କରିବାକୁ ଅପେକ୍ଷା କରିଛୁ। ସେହିପରି, ଅକ୍ଟୋବର ମାସରେ ସେ କହିଥିଲେ, ‘ଟୁଇଟର୍’ ଖରିଦ ହେଉଛି ‘ସାମଗ୍ରିକ ଆପ୍’ ‘ଏକ୍ସ୍’ ର ପ୍ରସ୍ତୁତି ତ୍ବରାନ୍ବିତ କରିବା। ‘ଏକ୍ସ କର୍ପ’ ନାମକ ନବଗଠିତ କମ୍ପାନିରେ ମିଶାଇ ଦିଆଯାଇଥିବାରୁ ‘ଟୁଇଟର୍’ ଆଉ ସ୍ବାଧୀନ କମ୍ପାନି ହୋଇ ରହିନାହିଁ। ‘ଟୁଇଟର୍’ ଆକାଉଣ୍ଟ୍ରେ ମସ୍କ୍ ‘ଏକ୍ସ୍’ ପୋଷ୍ଟ୍ କରିବା ପରେ ଏ କଥା ଜଣାପଡ଼ିଥିଲା।