ମହାରାଷ୍ଟ୍ରରେ ଛିଡ଼ିଲା ଅଙ୍କ

ଫଡନାଭିସ ସରକାରଙ୍କ ନୂଆ ଟିମ, ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ

ମହାରାଷ୍ଟ୍ରରେ ଫଡନାଭିସ ସରକାରଙ୍କ ନୂଆ ଟିମ । ନାଗପୁରରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଫଡନାଭିସ୍‌ ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମାରୋହରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ୍‌, ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ୍‌ ପାୱାର ଉପସ୍ଥିତ ଥିଲେ ।ଏହି ସମୟରେ ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଧାନସଭା ନିର୍ବାଚନର ଫଳାଫଳ ବାହାରିବାର ତିନି ସପ୍ତାହରୁ ଅଧିକ ସମୟ ବିତିବା ପରେ ଫଡନାଭିସ୍‌ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ୩୯ ମନ୍ତ୍ରୀମାନଙ୍କ ମଧ୍ୟରେ ବିଜେପିର ୧୯, ଶିବସେନାର ୧୧ ଏବଂ ଏନସିପିର ୯ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି । ୩୩ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ୬ ବିଧାୟକ ରାଜ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

ବିଜେପିରୁ ଚନ୍ଦ୍ରଶେଖର ବାୱନକୁଲେ, ରାଧାକୃଷ୍ଣ ଭିଖେ ପାଟିଲ, ଚନ୍ଦ୍ରକାନ୍ତ ପାଟିଲ ଓ ଗିରିଶ ମହାଜନଙ୍କ ପରି ବିଧାୟକ ନେଇଛନ୍ତି ମନ୍ତ୍ରୀପଦର ଶପଥ। ସେହିପରି ସିନ୍ଦେଙ୍କ ଶିବସେନାରୁ ଗୁଲାବରାଓ ପାଟିଲ, ଦାଦା ଭୁସେ, ସଂଜୟ ରାଠୋର ଓ ଉଦୟ ସାମନ୍ତ ପ୍ରମୁଖ ପାଇଛନ୍ତି ମନ୍ତ୍ରୀପଦ। ସେହିଭଳି ଅଜିତ ପାୱାରଙ୍କ ଏନସିପିରୁ ହସନ ମୁଶରିଫ, ଧନଞ୍ଜୟ ମୁଣ୍ଡେ, ଅଦିତି ତଟକରେ ପ୍ରମୁଖ ନେଇଛନ୍ତି ମନ୍ତ୍ରୀପଦର ଶପଥ। କୁହାଯାଉଛି ଯେ ମନ୍ତ୍ରୀ ମଣ୍ଡଳ ଭାଗବଣ୍ଟା ମଧ୍ୟ ସରିଛି, ଖୁବଶୀଘ୍ର ପୋର୍ଟଫୋଲିଓର ତାଲିକା ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *