ରଥଯାତ୍ରାରେ ଉଡିପାରିବନି ଡ୍ରୋନ୍

ଆସନ୍ତା 20 ତାରିଖରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏହା ପରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ନୀତି ଓ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ। ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ରଥଯାତ୍ରା ସମୟରେ ଯେପରିକି କୌଣସି ଅଘଟଣ ନଘଟେ, ସେଥିପାଇଁ ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ ପୁରୀ ପୁଲିସ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା ଲାଗୁ କରିଛି। ଡ୍ରୋନ ଉଡ଼ାଣ କଟକଣା ନେଇ ଟ୍ୱିଟ୍‌ କରି ସୂଚନା ଦେଇଛି। ପୁରୀ ପୁଲିସ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ସମୟରେ ଅନେକ ଲୋକ ଡ୍ରୋନ୍‌ ସାହାଯ୍ୟରେ ମହାପ୍ରଭୁଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବାକୁ ଉଦ୍ଦେଶ୍ୟ ରଖିଥାନ୍ତି। ଏଭଳି କରାଯିବା ଦ୍ବାରା ଭକ୍ତଙ୍କ ସୁରକ୍ଷା ପ୍ରତି ବିପଦ ରହିଛି। ତେଣୁ ଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ତିନି ରଥ, ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୨୩ ରଥଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀ ସହର ବିଶେଷ ଭାବେ ଗ୍ରାଣ୍ଡରୋଡରେ ଡ୍ରୋନ୍‌ ଉଡାଇବା ନେଇ କଟକଣା ଜାରି ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ମନ୍ଦିର ପାର୍ଶ୍ବରେ କେହି ଡ୍ରୋନ୍‌ ଉଡ଼ାଇପାରିବେ ନାହିଁ। ସେହିପରି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି ବିନା କେହି ଡ୍ରୋନ୍‌ ଉଡ଼ାଇପାରିବେ ନାହିଁ।