ଅତୁଲ ସୁଭାଷ ମୃତ୍ୟୁ ଘଟଣାର ତନାଘନା
ବିବାହ ବିଚ୍ଛେଦ ପାଇଁ ୩ କୋଟି ମାଗୁଥିବା ଏବଂ ୯ଟି ମିଛ ମାମଲା କରିଥିବା ପତ୍ନୀଙ୍କୁ ଦାୟୀ କରି, ବେଙ୍ଗଳୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ନିଜ ଜୀବନ ହାରିବା ପରେ, ସାରା ଦେଶରେ ତେଜିଛି ପୁରୁଷଙ୍କ ପାଇଁ ନ୍ୟାୟ ଦାବି । ବେଙ୍ଗଳୁରୁରେ ଅତୁଲଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏଭିତରେ ମହିଳାଙ୍କ ଦ୍ୱାରା ଆଇନର ଦୁରୁପଯୋଗ ବଢ଼ିଚାଲିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।
ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ସାଂସଦ କଙ୍ଗନା ରଣାୱତ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି ଯାହା ବିବାଦୀୟ ହୋଇପାରେ। କଙ୍ଗନା କହିଛନ୍ତି, “ଜଣେ ଭୁଲ୍ ମହିଳାଙ୍କ ଉଦାହରଣ ନେଇ ପ୍ରତ୍ୟେକ ଦିନ ନିର୍ଯାତନାର ଶିକାର ହେଉଥିବା ମହିଳାଙ୍କ କଥା ଅସ୍ୱୀକାର କରାଯାଇ ପାରିବ ନାହିଁ। ୯୯ ପ୍ରତିଶତ ବିବାହରେ ପୁରୁଷମାନେ ଦୋଷୀ ଅଟନ୍ତି, ସେଥିପାଇଁ ଏଭଳି ତ୍ରୁଟି ଘଟେ।”ତେବେ ଅତୁଲଙ୍କ ଘଟଣାରେ କଙ୍ଗନା କହିଛନ୍ତି, “ଦେଶ ଚକିତ ହୋଇଯାଇଛି। ତାଙ୍କର ଭିଡିଓ ହୃଦୟ ବିଦାରକ। ଯେପର୍ଯ୍ୟନ୍ତ ବିବାହ ଆମର ଭାରତୀୟ ପରମ୍ପରା ସହିତ ଜଡିତ ଅଛି, ସେପର୍ଯ୍ୟନ୍ତ ଏହା ଠିକ ଅଛି। କିନ୍ତୁ ସାମ୍ପ୍ରଦାୟିକତା, ସମାଜବାଦ ତଥା ନିନ୍ଦନୀୟ ନାରୀବାଦର ଏହାକୁ ନଷ୍ଟ କରିଦେଉଛି। ଏହା ଏକ ଚିନ୍ତାଜନକ ବିଷୟ। ”କଙ୍ଗନା ଆହୁରି କହିଛନ୍ତି, “ଅତୁଲଙ୍କ ଠାରୁ କୋଟି ଟଙ୍କା ଦାବି କରାଯାଉଥିଲା, ଯାହା ତାଙ୍କ କ୍ଷମତାଠାରୁ ବାହାରେ ଥିଲା। ଏହା ନିନ୍ଦନୀୟ। ଯୁବକମାନଙ୍କ ଉପରେ ଏପରି ବୋଝ ହେବା ଉଚିତ୍ ନୁହେଁ। ତାଙ୍କ ଦରମା ଠାରୁ, ସେ (ଅତୁଲ ସୁଭାଷ) ତିନିଗୁଣ ରାଶି ପ୍ରଦାନ କରୁଥିଲେ ଏହି ଘଟଣାର ସମୀକ୍ଷା କରାଯିବା ଉଚିତ ଏବଂ ଏହିପରି ଘଟଣାଗୁଡ଼ିକର ମୁକାବିଲା ପାଇଁ ଏକ ପୃଥକ ସଂସ୍ଥା ମଧ୍ୟ ଗଠନ କରାଯିବା ଉଚିତ।