AAP ଛାଡ଼ିଲେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ

କୈଳାଶ ଗଲେ ଅନିଲ ଆସିଲେ

ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ସରଗରମ ରାଜନୀତି। ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟ ଦଳରୁ ଇସ୍ତଫା ଦେଇଛନ୍ତି । ରବିବାର ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଆପ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କୁ ସମ୍ବୋଧିତ କରି ଅଭିଯୋଗ ଜଣାଇଛନ୍ତି। ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବା ଓ ସାମ୍ପ୍ରତିକ ବିବାଦ ଯୋଗୁ ସେ ଦଳ ଛାଡ଼ୁଛନ୍ତି ବୋଲି କୈଳାଶ ଲେଖିଛନ୍ତି। ଦିଲ୍ଲୀ ସରକାର ମନ୍ତ୍ରୀ ପରିଷଦ ନିକଟରେ ମଧ୍ୟ ସେ ତାଙ୍କ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି।ଦିଲ୍ଲୀ ସରକାରରେ କୈଳାଶ ଗେହଲୋଟ ପରିବହନ, ପ୍ରଶାସନିକ ସୁଧାର, ଆଇଟି, ଗୃହ, ମହିଳା ଏବଂ ଶିଶୁ ବିକାଶ ସମେତ ଏକାଧିକ ବିଭାଗର ଦାୟିତ୍ୱ ସମ୍ବାଳିଥିଲେ। ଜଣେ ବରିଷ୍ଠ ନେତା ଭାବେ ଦଳରେ ତାଙ୍କର ଗୁରୁତ୍ୱ ବି ରହିଥିଲା। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବା ଉଦାହରଣ ଦେଇ କୈଳାଶ କହିଛନ୍ତି ଯେ ଯମୁନା ନଦୀ ସଫା କରିବାରେ ବିଫଳ, ହେବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବିବାଦ ଆଦିକୁ ଦାୟୀ କରି ସେ ଦଳ ଛାଡ଼ିଛନ୍ତି। ଆପ୍ ଛାଡ଼ିବା ପରେ ସେ ଅନ୍ୟ କୌଣସି ଦଳ ଯିବା ନେଇ ସେ ସ୍ପଷ୍ଟ କରି ନାହାନ୍ତି।

ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା। ଦିଲ୍ଲୀର ପୂର୍ବତନ ବିଧାୟକ ତଥା ଆପର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଅନିଲ ଝା ବିଜେପିରେ ଥିବାବେଳେ ଦୁଇ ଥର ବିଧାୟକ ହୋଇଥିଲେ। କିରାରି ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ ଅନିଲ। ଆପରେ ଯୋଗଦେବା ପରେ ସେ ବିଜେପିର ନେତୃତ୍ୱ ତଥା ନୀତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କାରଣରୁ ସେ ବିଜେପି ଛାଡ଼ିଥିବା କହିଛନ୍ତି। ଏଥିସହ ଆପରେ ଯୋଗ ଦେବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିଛନ୍ତି ଅନିଲ ଝା।

Leave a Reply

Your email address will not be published. Required fields are marked *