ଛାଡ଼ଖାଇର ପ୍ରକୃତ ଅର୍ଥ କ’ଣ?

ଛାଡ଼ଖାଇର ପ୍ରକୃତ ଅର୍ଥ କ’ଣ?

କାର୍ତ୍ତିକ ମାସର ବ୍ରତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପିତ ହେଇଥାଏ। ମାସ ସାରା ହବିଷ ଭକ୍ଷଣ,ଦେବ ଦର୍ଶନ, ପୁରାଣ ପାଠ, ଚଉରା ମୂଳେ ମୁରୁଜ ଆଙ୍କି ରାଇ ଦାମୋଦର, ଲକ୍ଷ୍ମୀ ନାରାୟଣ, ଶିବ ପାର୍ବତୀଙ୍କ ପୂଜା ଚାଲିଥାଏ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯାଏଁ। ପୂର୍ଣ୍ଣିମାର ପରଦିନ କୁ କୁହାଯାଏ "ଛାଡ଼ଖାଇ "। ଏହି ଛାଡଖାଇକୁ ନେଇ ଆମ ମନରେ ଅନେକ ହୀନ ଚିନ୍ତାଧାରା ବର୍ତ୍ତମାନ ସମୟରେ ଦେଖାଦେଇଚି।ଯେଉଁଟା କି ପ୍ରକୄତ ଛାଡ଼ଖାଇର ସମ୍ପୂର୍ଣ୍ଣ ବିପରୀତ।

   କାର୍ତ୍ତିକ ମାସରେ କିଛି ଖାଦ୍ୟପେୟର ବାରଣ ରହିଚି। ଏହାଛଡା କାର୍ତ୍ତିକ ମାସରେ ଚୁଟି କାଟିବା,କିଛି ଫୁଲ, ଫଳ, ପତ୍ର ତୋଳିବା ମଧ୍ୟ ବାରଣ ଥାଏ।ଯେଉଁ ମାନେ କାର୍ତ୍ତିକ ବ୍ରତ କରନ୍ତି ସେମାନେ ମାସ ସାରା ନଖ କାଟନ୍ତି ନାହିଁ, ଚୁଟି କାଟନ୍ତି ନାହିଁ, ତୁଳସୀ ପତ୍ର ତୋଳନ୍ତିନି,କଦଳୀ ପତ୍ର କାଟନ୍ତିନି।ବର୍ଷା ଛାଡିଥାଏ ଆଉ ଶୀତ ର ଆରମ୍ଭ ହେଇଥାଏ । ଏମିତି ଏକ ମଝାମଝି ରେ କାର୍ତ୍ତିକ ମାସ ଥାଏ।ଏହି ସମୟ ରେ ପାଣି ପାଗ ସହ ମଣିଷ ଓ ପଶୁପକ୍ଷୀ ଙ୍କ ଶରୀର ରେ ଅନେକ ପରିବର୍ତ୍ତନ ଆସିଥାଏ।ଯେମିତି କି ଏଇ ମାସରେ ମଣିଷ ଶରୀର ରେ ପିତ୍ତ ଓ କଫ ଅଧିକ ହେଇଥାଏ।ହଜମ ଶକ୍ତି କମିଯାଏ।ତେଣୁ ଏଇ ମାସରେ ଗୋଟିଏ ଥର ଖାଦ୍ୟ ଗ୍ରହଣ କରିବା ବିଧି ଅଛି।ବିନା ମସଲା,ହଳଦୀ ରେ ନିର୍ଦ୍ଦିଷ୍ଟ କିଛି ପରିବା କୁ ନେଇ ଖାଦ୍ୟ ପ୍ରସ୍ତୁତ ହେଇଥାଏ। ଯାହା କି ଗରିଷ୍ଠ ହେଇ ନଥାଏ।ଏହା ହଜମ ଶକ୍ତି କୁ ବଢେଇବା ସହ ଦେହକୁ ରୋଗମୁକ୍ତ କରିଥାଏ। ଆଉ ସାତ୍ତ୍ଵିକ ହୋଇଥିବାରୁ ଦେହ ମନ ଶାନ୍ତ ସଂଯମ ରହିଥାଏ। କାର୍ତ୍ତିକ ମାସରେ ମାଛ ମାଂସ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଇ ମାସରେ ମାଛ ଙ୍କ ଦେହରେ ବସନ୍ତ ହେଇଥାଏ। ଆଉ ଛେଳି,ମେଣ୍ଢା, କୁକୁଡା,ବତକ ଇତ୍ୟାଦି ଙ୍କର ପ୍ରଜନନ ର ଋତୁ ଅଟେ କାର୍ତ୍ତିକ ମାସ। ତେଣୁ କାର୍ତ୍ତିକ ମାସରେ ମାଛ ମାଂସ ଖାଇଲେ ଅନେକ କୁପ୍ରଭାବ ପଡିଥାଏ ମଣିଷ ଶରୀରରେ।ମାସ ସାରା ଗୋଟିଏ ଥର କିଛି ନିର୍ଦ୍ଦିଷ୍ଟ ଶୁଦ୍ଧ, ସାତ୍ତ୍ଵିକ ଆହାର ଗ୍ରହଣ କରା ଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ର ପରଦିନ ହେଉଚି ଛାଡ଼ଖାଇ।

ଜଗନ୍ନାଥ ଧାମ ପୁରୀରେ ଥିବା ହବିସିଆଳି ମାନଙ୍କୁ ପଚାରିବେ- ସେମାନେ କହିବେ ଛାଡଖାଇର  ଅର୍ଥ କ'ଣ ! ସେମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଶ କରିଥାଆନ୍ତି। ପୂର୍ଣ୍ଣମୀ ପରଦିନ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି। ଯାହାକୁ କୁହାଯାଏ  ଛାଡଖାଇ । ଖାଇବା ଯେହେତୁ ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ। ଉପବାସ କହିଲେ ଦୁଇଟି ଶବ୍ଦ । ଉପଯୁକ୍ତ ବାସ । ଉପ କହିଲେ- ସହଯୋଗ, ବାସ କହିଲେ- ସଦାଚାର । ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ। 

ଆଉ କିଛି ଶାସ୍ତ୍ର ଅନୁସାରେ କାର୍ତ୍ତିକ ବ୍ରତରେ ଯେଉଁ ଖାଦ୍ୟ ଖାଇବାକୁ ବାରଣ ହେଇଥାଏ, ଛାଡ଼ଖାଇ ଦିନଠୁ ସେ ଖାଦ୍ୟ ସବୁ ପୁଣି ଖାଇବାକୁ ଅନୁମତି ମିଳିଥାଏ। ଗୋଟିଏ ମାସର ସଂଯମ ଯୋଗୁଁ ହଜମ ଶକ୍ତି ବଢିଯାଏ। କାର୍ତ୍ତିକ ବ୍ରତ ଧାରୀ ମାନେ ଛାଡ଼ଖାଇ ଦିନ ମଧ୍ୟ ଏକ ସ୍ବତନ୍ତ୍ର ପୂଜାକରିଥାନ୍ତି। ଚଉରା ମୂଳେ ଭୀମ ଙ୍କର ଏକ ବାଲିମୂର୍ତ୍ତୀ କରି କିମ୍ୱା ମୁରୁଜରେ ଭୀମଙ୍କ ଏକ ମୂର୍ତ୍ତି ଅଙ୍କନ କରି ତାଙ୍କୁ ପୂଜା କରଯାଏ। ମୁଢି,ଉସୁନା ଭାତ,ସମସ୍ତ ପରିବା ପଡି ତରକାରୀ, କୋଶଳା ଶାଗ,କାଞ୍ଜି ଇତ୍ୟାଦି ସୁସ୍ୱାଦୁ ଖାଦ୍ୟ ଭୋଗ ବଢାଯାଏ ଭୀମଙ୍କୁ। କାରଣ ଭୀମ ହେଉଚନ୍ତି ଖାଦ୍ୟ ପ୍ରିୟ। ତାଙ୍କର ଦେହର ବଳ ଓ ହଜମ କରିବାର ଶକ୍ତି ଅତୁଳନୀୟ। ତେଣୁ କାର୍ତ୍ତିକ ବ୍ରତ ପରେ ଖାଦ୍ୟ ପ୍ରିୟ ଭୀମଙ୍କୁ ସୁସ୍ୱାଦୁ ଖାଦ୍ୟ ଅର୍ପଣ କରି ତାଙ୍କୁ ସନ୍ତୁଷ୍ଟ କରାଯାଏ।ଏହାପରେ ବ୍ରତଧାରୀ ମାନେ ଖାଦ୍ୟ ଗ୍ରହଣ କରନ୍ତି।