ରୂପା ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଊର୍ଦ୍ଧ୍ୱ ରୂପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୁପାଛାଉଣି କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ସେବାୟତମାନଙ୍କୁ ମଧ୍ୟ ଡିଜାଇନ୍ ଦେଖାଯାଇଛି । ପୂର୍ବ ପରିଚାଳନା କମିଟି ବୈଠକରେ ରୂପାଛାଉଣି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଆଗାମୀ ଡିସେମ୍ବର ୨୫ ସୁଦ୍ଧା ପତିତପାବନ ମନ୍ଦିର ଓ ଏହାର ଗୁମୁଟ ବନ୍ଧକୁ ରୂପା ଛାଉଣି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ରତ୍ନପଲଙ୍କ ଓ ପ୍ରଭା ଆଦିକୁ ଆଗାମୀ ବର୍ଷ ମାର୍ଚ୍ଚ ମଧ୍ୟରେ ରୂପା ଛାଉଣି କରାଯିବା ନେଇ ଆଲୋଚନା ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ବିଭିନ୍ନ ଦ୍ୱାରରେ ରୂପା ଛାଉଣି କରାଯାଇଛି।
ବୈଠକ ସମ୍ପର୍କରେ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସୂଚନା ଦେଇ କହିଛନ୍ତି, ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାର ଓ ବେହେରଣ ଦ୍ୱାରକୁ ରୂପା ଛାଉଣି କରାଯାଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ୭ଟି ଦ୍ୱାର ଯଥା ଭଅଣ୍ଡ ଘର ଦ୍ୱାର, ସାତପାହାଚ ଦ୍ୱାର, ଲକ୍ଷ୍ମୀମନ୍ଦିର ଦ୍ୱାର, ବିମଳା ମନ୍ଦିର ଦ୍ୱାର, ଦକ୍ଷିଣଘର ଦ୍ୱାର, ନୃସିଂହ ମନ୍ଦିର ଦ୍ୱାର, ସୂର୍ଯ୍ୟମନ୍ଦିର ଦ୍ୱାର ଆଦିକୁ ରୁପାଛାଉଣି କରାଯାଇଥିଲା। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସିଂହଦ୍ୱାର ଗୁମୁଟ ଭିତରେ ଥିବା ଜମଶିଳା ସ୍ଥାନର ବନ୍ଦକୁ ରୁପା ଛାଉଣି କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଉପରେ ଗୁରୁବାର ମଧ୍ୟ ଆଲୋଚନା କରାଯାଇଛି। ସେହିପରି ଅଣସର ସମୟରେ ଦଶ ଅବତାର ବସୁଥିବା ଖଟ, ମହାପ୍ରଭୁଙ୍କ ରତ୍ନପଲଙ୍କ, ଚଳନ୍ତି ପ୍ରତିମାଗୁଡ଼ିକର ସମସ୍ତ ପ୍ରଭାକୁ ରୂପାଛାଉଣି କରାଯିବାକୁ ବୈଠକରେ ଆଲୋଚନା ହୋଇଛି।