ଦୀପାବଳିରେ ପରସ୍ପରକୁ ମିଠା ବାଣ୍ଟିଲେ ଭାରତ-ଚୀନ୍ ସେନା
ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ସମ୍ପର୍କ ଏବେ ଧୀରେ ଧୀରେ ସୁଧୁରିବାରେ ଲାଗିଛି । ଯାହାର ଉଦାହରଣ ଦୀପାବଳି ଅବସରରେ ଆଜି ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍(LAC)ରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ଆଲୋକର ପର୍ବ ଦୀପାବଳି ଅବସରରେ ଭାରତୀୟ ଏବଂ ଚୀନ୍ ସୈନିକମାନେ ପରସ୍ପରକୁ ମିଠା ଉପହାର ଦେଇଥିଲେ । ଏମିତି ସମୟରେ ଏହି ଚିତ୍ର ସାମ୍ନାକୁ ଆସିଛି ଯେତେବେଳେ ଉଭୟ ଦେଶ ପୂର୍ବ ଲଦାଖର ଦୁଇଟି ସମ୍ବେଦନଶୀଳ ପଏଣ୍ଟ ଡେମଚୋକ୍ ଓ ଦୀପସାଙ୍ଗରୁ ସମତଳ ଭୂମିରେ ଉଭୟ ପକ୍ଷର ସଫଳତାର ସହ ସୈନ୍ୟ ଅପସାରଣ ସଂପୂର୍ଣ୍ଣ ହୋଇସାରିଛି । ଯେତେବେଳେ ଦିୱାଲୀ ଅବସରରେ ଏହିପରି ଚିତ୍ର ସାମ୍ନାକୁ ଆସିଲା, କୂଟନୈତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ବିବେଚନା କରାଯାଏ ।ଭାରତ-ଚୀନ୍ ସୀମା ଚୁସୁଲ-ମୋଲ୍ ଡୋ ବର୍ଡର ନିକଟ ମିଟିଂ ପଏଣ୍ଟରେ ଦୁଇ ସେନା ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି । ଖାଲି ମୋଲ୍ ଡୋ ବର୍ଡରରେ ନୁହେଁ ବରଂ ଭାରତ-ଚୀନ୍ ସୀମାନ୍ତ ବିଭିନ୍ନ ବର୍ଡର ପଏଣ୍ଟରେ ଏହି ଖୁସିର ଅବସର ଦେଖିବାକୁ ମିଳିଛି । ହଟସ୍ପ୍ରିଙ୍ଗ ହେଉ କି କାରାକୋରମ ପାସ୍ ସବୁଠି ଦୁଇ ଦେଶର ସେନା ମିଠା ଆଦାନ ପ୍ରଦାନ କରିଛନ୍ତି । ସେହିଭଳି ଦୌଲତବେଗ୍ ଏବଂ ଲଦାଖର କୋଙ୍ଗକ୍ଲା ପଏଣ୍ଟରେ ଭାରତ-ଚୀନ୍ ସେନା ପରସ୍ପରକୁ ମିଠା ଆଦାନ ପ୍ରଦାନ କରିଛନ୍ତି ।