ସମୁଦ୍ରରେ ଦାନା ବାନ୍ଧୁଛି ‘ଦାନା’

ବାତ୍ୟାର ନାଁ ‘ଦାନା’ କାହିଁକି?

ସମୁଦ୍ରରେ ଦାନା ବାନ୍ଧୁଛି ‘ଦାନା’ । ଅର୍ଥାତ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ରହିବ ଦାନା । ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ ବୋଲି କୁହାଯାଉଛି । କାତାର୍ ପକ୍ଷରୁ ଏହି ନାମକରଣ କରାଯାଇଛି । ଆରବୀ ଭାଷାରେ ‘ଦାନା’ର ଅର୍ଥ ନିଖୁଣ ଓ ମୂଲ୍ୟବାନ ମୋତି ବା ମୁକ୍ତା ବୋଲି କୁହାଯାଉଛି । ତେବେ ବାତ୍ୟା ପ୍ରବଣ ଅକଟୋବର ମାସରେ ବଦଳୁଥିବା ଓଡ଼ିଶାର ପାଣି ପବନର ସ୍ଥିତି ଏବଂ କିଛି ବିଦେଶୀ ମଡେଲ୍ ଗୁଡ଼ିକର ପୂର୍ବାନୁମାନ, ଶଙ୍କା ବଢ଼ାଉଛି । ଅଧିକାଂଶ ମଡେଲ୍ ବାତ୍ୟା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛନ୍ତି । ୟୁରୋପିଆନ୍ ସେଣ୍ଟର ଫର୍ ମିଡ଼ିୟମ୍ ରେଞ୍ଜ ୱେଦର୍ ଫୋରକାଷ୍ଟ ତଥା ECMWFର ଆକଳନ କହୁଛି, ଏହି ବାତ୍ୟା କ୍ରମେ ୨୫ ତାରିଖ ବେଳକୁ ପୁରୀ ନିକଟରେ ସ୍ଥଳଭାଗ ଛୁଇଁପାରେ ।ସେହିପରି ଜର୍ମାନୀର ପାଣିପାଗ ଆକଳନ ସଂସ୍ଥା ICON ବି ପୂର୍ବାନୁମାନ କରିଛି ୨୪-୨୫ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ବିଶେଷ କରି ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ତେବେ ଗ୍ଲୋବାଲ୍ ଫୋରକାଷ୍ଟର ଆକଳନ ସମ୍ପୂର୍ଣ୍ଣ ଓଲଟା । ଲଘୁଚାପ କ୍ରମେ ଅବପାତର ରୂପ ନେବା ପରେ ବଙ୍ଗୋପସାଗରରେ ବଳ ଗୋଟାଇ ୨୪ ବେଳକୁ ପଶ୍ଚିମବଙ୍ଗ ମୁହାଁ ହେବ ଏବଂ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ।

Leave a Reply

Your email address will not be published. Required fields are marked *