ଜାମ୍ମୁ-କାଶ୍ମୀର ପାଇଁ ଦାଉ ସାଧୁଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ କେତେବେଳେ ବନ୍ୟା ସ୍ଥିତି ତ ଆଉ କେତେବେଳେ ଭୂସ୍ଖଳନ, ସତେ ଯେମିତି ବୋଝ ଉପରେ ନଳିତା ବିଡା। ତେବେ ଜାମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବଡ ଧରଣର ଭୂସ୍ଖଳନ। ଯେଉଁଥିରେ ପ୍ରାୟ ୮ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି । ଖାଲି ଜାମ୍ମୁ-କାଶ୍ମୀର ନୁହେଁ ଉତ୍ତର ଭାରତର ଅନେକ ସ୍ଥାନରେ ସ୍ଥିତି ଏପରି ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଆଜି ସକାଳୁ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମହାବଳେଶ୍ୱର ଘାଟିରେ ପାହାଡ ଧସୁଥିବାର ଚିତ୍ର ଦେଖିବାକୁ ମିଳିଛି । ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ମଧ୍ୟ ପରିଲକ୍ଷିତ ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶ, ପୂର୍ବ ରାଜସ୍ଥାନ, ପଶ୍ଚିମ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଛତିଶଗଡ, ଗୋଆ, କେରଳ , ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ ଏସବିଆଇ ରିସର୍ଚ୍ଚ ରିପୋର୍ଟ ଇକୋରେପ୍ ମୁତାବକ ବିପର୍ଯ୍ୟୟ ଓ ବନ୍ୟା କାରଣରୁ ଦେଶରେ ୧୦ ହଜାର କୋଟିରୁ ୧୫ ହଜାର କୋଟିର ଆର୍ଥିକ କ୍ଷତି ହୋଇଛି । ବିଶେଷ ଭାବେ ଉତ୍ତର ଭାରତରେ ଏହାର ପ୍ରଭାବ ଅଧିକ ଥିବା ଦେଖିବାକୁ ମିଳିଛି ।