ଅସନ୍ତୋଷ ଝାଡିଲେ ନିଲମ୍ବିତ ନେତା
ଆଜି ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ଝାଡ଼ିଛନ୍ତି ଚିରଞ୍ଜୀବ ବିଶ୍ବାଳ । ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ମୋ ରକ୍ତରେ ବେଈମାନ ନାହିଁ, ପଛରୁ ଛୁରା ଭୁସିବା କାମ କେବେ କରିନାହିଁ । ଜାନକୀ ଓ ବସନ୍ତ ଯୋଡି ସୁବର୍ଣ୍ଣ ଯୁଗ ଆଲୋଚନା ହୋଇଥିଲା । ସେ ସମୟ ଏବଂ ଏବର ସମୟ କୁ ନେଇ କିଛି ଟିପ୍ସଣି ଦେଇଥିଲି । କଂଗ୍ରେସକୁ ସୃଦୁଢ କରିବା ପାଇଁ ମନ୍ତବ୍ୟ ଦେଇଥିଲି । ୯ ରୁ ୯୦ ସ୍ଲୋଗାନ ପୂରଣ କରିବାକୁ ହେଲେ ତଳ ସ୍ତରକୁ କଂଗ୍ରେସ କୁ ଯିବାକୁ ପଡିବ । ଏହି ଉପଦେଶ ଯଦି ଦଳ ବିରୋଧୀ ମୋର କିଛି କହିବାର ନାହିଁ । ଗତ ୧୫ ତାରିଖରେ ତାଙ୍କୁ ଏଆଇସିସି କଂଗ୍ରେସରୁ ସସପେଣ୍ଡ କରିଥିଲା । ତାଙ୍କ ସହ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ମଧ୍ୟ ଦଳ ସସପେଣ୍ଡ କରିଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ବରିଷ୍ଠ ନେତାଙ୍କୁ ସସପେଣ୍ଡ କରାଯାଇଥିଲା । ଚିରଞ୍ଜୀବ କହିଛନ୍ତି ନିଲମ୍ବନ ସମୟରେ ମୁଁ ଓଡ଼ିଶାରେ ନଥିଲି । ଦୁଇ ଦିନ ତଳେ AICC ନୋଟିସ ପାଇଲି । ମୁଁ ଏକ କଂଗ୍ରେସ ପରିବାରର ସଦସ୍ୟ । ମୋ ଜେଜେବାପା, ବାପା, ଭାଇ ସମସ୍ତେ କଂଗ୍ରେସ ଲୋକ । ବେଇମାନ ପରିବାରର ରକ୍ତ ମୋ ଦେହରେ ନାହିଁ । ମୋ ଜେଜେ ବାପା ପିଲାବେଳେ କଂଗ୍ରେସ ସମ୍ପର୍କରେ ଶିକ୍ଷା ଦେଉଥିଲେ । ପିତା ବସନ୍ତ ବିଶ୍ୱାଳ କଂଗ୍ରେସ କୁ ସଂଗଠନ କରିବା ପାଇଁ ଯାହା ଉଦ୍ୟମ କରିଛନ୍ତି ସମସ୍ତଙ୍କୁ ଜଣା ।