ପିଡିଏ ମିଟିଂ ପୂର୍ବରୁ କଂଗ୍ରେସର ନିଷ୍ପତ୍ତି
ସବୁ ଚର୍ଚ୍ଚାର ଅନ୍ତ । ଏନଡିଏକୁ ଚକମା ଦେବାକୁ ଶକ୍ତି ସଂଗ୍ରହ କରୁଥିବା ବିରୋଧୀଙ୍କ ପାଇଁ ଖୁସିଖବର । ଆପ୍ ଓ କଂଗ୍ରେସ ମଧ୍ୟରେ ଥିବା ଫାଟରେ ଏବେ ପଡିଛି ପ୍ୟାଚ୍ । ହାତ ମିଳାଇଛନ୍ତି ଆପ୍ ଓ କଂଗ୍ରେସ । ଯାହା ପିଡିଏକୁ ଯୋଗାଇବ ଶକ୍ତି । ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆପ୍ ଯେଉଁ ଲଢ଼େଇ କରୁଛି, ତାକୁ ସମର୍ଥନ କରିବ କଂଗ୍ରେସ । ଆସନ୍ତାକାଲି ବିରୋଧୀ ଦଳଗୁଡ଼ିକ ବେଙ୍ଗାଲୁରୁରେ ବୈଠକ ପାଇଁ ଏକତ୍ର ହେଉଥିବା ବେଳେ ତା’ପୂର୍ବରୁ କଂଗ୍ରେସ ନେଇଛି ଏହି ନିଷ୍ପତ୍ତି। ଏହା ଦିଲ୍ଲୀର ଆପ୍ ସରକାର ପାଇଁ ଏକ ବଡ଼ ବଳ ବୋଲି କୁହାଯାଉଛି। ପୂର୍ବରୁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକରେ ଯୋଗ ନଦେବାକୁ ଆପ୍ ଧମକ ଦେଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବାଟ ଓଗାଳିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଛନ୍ତି।
