ବାଧୁଛି ବନ୍ୟା ପରର ଦୁଃଖ !

ବେହାଲ ସ୍ଥିତିରେ ଉତ୍ତର ଭାରତ। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ । କାହିଁକି ନା ଯମୁନା ନଇର ପାଣି ଏବେ ଦୁଇ କୁଳ ଖାଉଛି। ଚାଲି ଯାଇଛି ବନ୍ୟା କିନ୍ତୁ ଛାଡି ଯାଇଛି ଦୁଃଖ । ଦିଲ୍ଲୀରେ ସ୍ଥିତି ଏବେ ବି ସଙ୍ଗୀନ । ଯମୁନା ନଦୀର ଜଳସ୍ତର ଧୀରେଧୀରେ କମୁଛି ସତ ହେଲେ ଏବେ ବି କମିନି ଦୁର୍ଦ୍ଦଶା । ଦେଶର ରାଜଧାନୀ ଦିଲ୍ଲୀର ତଳି ଅଞ୍ଚଳ ଏବେ ବି ଜଳବନ୍ଦୀ । ଏନଡିଆରଏଫ ସହ ପୋଲିସ ପ୍ରଶାସନ ଦିଲ୍ଲୀ ସ୍ଥିତି ସ୍ବାଭାବିକ କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଲାଲକିଲ୍ଲା, ଆଇଟିଓ, ସୁପ୍ରିମକୋର୍ଟ ଏବେ ବି ପାଣି ଆଉ ପାଣି । ପୁଣି ସପ୍ତାହେ ପାଇଁ ଦିଲ୍ଲୀକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଯମୁନା ଜଳସ୍ତର ବିପଦ ସଙ୍କେତ ଉପରେ ୨୦୬.୧୪ ମିଟରରେ ପ୍ରବାହିତ ହେଉଛି । ଲଗାତର ୫ ଦିନ ଧରି ଦିଲ୍ଲୀରେ ଏହି ସ୍ଥିତି ଜାରି ରହିଛି ।

ଦିଲ୍ଲୀର ରାଜରାସ୍ତା କୃତ୍ରିମ ପୋଖରୀ ପାଲଟିଛି । ଘର ବୁଡ଼ିଯିବାରୁ ଅନେକ ପରିବାର ବେଘର ହୋଇଛନ୍ତି । ଉଦ୍ଧାର କରି ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି । ତେବେ ଲଗାଣ ବର୍ଷ ଯୋଗୁଁ ଏପରି ସ୍ଥିତି ଦେଖିବାକୁ ମିଳିଛି। ଲୋକେ ଏବେବି ଜଳବନ୍ଦୀ ହୋଇ ଦିନ କାଟୁଛନ୍ତି। କାହା ପାଖରେ ପଇସା ନହିଁ ତ ଆଉ କାହାପାଖରେ ଖାଇବାକୁ ଖାଦ୍ୟ । ରାଜଧାନୀର ଦୁଃଖ କହିଲେ ନସରେ, ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । କେବେ ଏହି ଦୁର୍ଦ୍ଦଶା ଯିବ ତାକୁ ନେଇ ଗଣୁଛନ୍ତି ଦିନ।