ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ଚାଲିଛି ତଦନ୍ତ

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା, ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ

ଭି.କେ. ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ସହ ଖର୍ଚ୍ଚର ହିସାବ ଚାଲିଛି । ଖୁବଶୀଘ୍ର ଏହାର ନିର୍ଯ୍ୟାସ ଆସିବ । ରାଜ୍ୟବାସୀଙ୍କ ମନରେ ଯାହା ସନ୍ଦେହ ଅଛି ତାହା ସତ ହୋଇପାରେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଯେହେତୁ ଦୁର୍ନୀତି ବିରୋଧରେ ମୋହନ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି, ତେଣୁ ଅପେକ୍ଷା କରନ୍ତୁ ନିଶ୍ଚେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଗତ ବିଜେଡି ସରକାରରେ କେବେ ଫାଇଭ୍-ଟି ସଚିବ ଓ କେବେ ଫାଇଭ୍ ଟି ଅଧ୍ୟକ୍ଷ ହିସାବରେ ଭି.କେ. ପାଣ୍ଡିଆନ୍ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ଜିଲ୍ଲାରୁ ଜିଲ୍ଲାକୁ ହେଲିକପ୍ଟରରେ ବୁଲି ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ କରିଥିଲେ । ସେ ବାବଦରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଅଭିଯୋଗ ଉଠିଛି । ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚର ହିସାବ ସୂଚନା ଅଧିକାର କର୍ମୀମାନେ ମାଗୁଥିଲେ ବି ତା’ର ସଠିକ୍ ତଥ୍ୟ ମିଳୁନାହିଁ । ଏମିତିକି ପାଣ୍ଡିଆନ୍‌ଙ୍କ ନାଁରେ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏକ ଏତଲା ମଧ୍ୟ ହୋଇଛି । ସେପଟେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତକୁ ସ୍ବାଗତ ପ୍ରସଙ୍ଗରେ ବିଜେଡି କହିଛି ନବୀନ ସରକାର ଅମଳରେ କୌଣସି ଦୁର୍ନୀତି ହୋଇନି ।