ଲାଲକିଲ୍ଲାରେ ମୋଦିଙ୍କ ବଡ଼ ଘୋଷଣା

୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ମେଡିକାଲ୍ ସିଟ୍‌

୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ଲକ୍ଷ୍ୟ । ଏହା କେବଳ ଭାଷଣର ଶବ୍ଦ ନୁହେଁ । ୧୪୦ କୋଟି ଜନତା ବିକଶିତ ଭାରତ କରିପାରିବେ । ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ ପରେ ନିଜ ସମ୍ବୋଧନରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ବିକଶିତ ଭାରତ ୨୦୪୭ ପାଇଁ ଆମକୁ ବିଜ୍ଞାନ, କୃଷି ଓ ନିର୍ମାଣକୁ ନେଇ ଅନେକ ପରାମର୍ଶ ମିଳିଛି । ନ୍ୟାୟ ବ୍ୟବସ୍ଥାରେ ପରିର୍ତ୍ତନ ପାଇଁ ମଧ୍ୟ ପରାମର୍ଶ ମିଳିଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭୋକାଲ୍ ଫର୍ ଲୋକାଲ୍ ଅର୍ଥତନ୍ତ୍ରର ମନ୍ତ୍ର ପାଲଟିଛି । ଆମେ ଦେଶବାସୀଙ୍କୁ ନୂଆ ଆତ୍ମବିଶ୍ବାସ ଦେଇଛୁ । ଅନେକ ସଂସ୍କାର ଆଣିବା ସହ ବ୍ୟାଙ୍କ କ୍ଷେତ୍ରକୁ ମଜବୁତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୈତିକ ଫାଇଦା ନୁହେଁ, ଆମ ପାଇଁ ଦେଶ ପ୍ରଥମ । ଆଜିର ସମୟ ଦେଶ ପାଇଁ ବଞ୍ଚିବାର ପ୍ରତିବଦ୍ଧତା ଅଟେ। ଦେଶ ପାଇଁ ଏହି ସ୍ବର୍ଣ୍ଣିମ କାଳଖଣ୍ଡକୁ ହାତଛଡ଼ା କରିବା ଉଚିତ ନୁହେଁ । ମହିଳା ଆତ୍ମନିର୍ଭରଶୀଳ ହେବା ନୂଆ ଆର୍ଥିକ କ୍ରାନ୍ତି ।

ସେ କହିଛନ୍ତି, ନୂଆ ଶିକ୍ଷାନୀତି ଜରିଆରେ ଆମକୁ ନୂଆ ବଳ ମିଳିଛି । ମାତୃଭାଷା ସହ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଛି । ଗବେଷଣାକୁ ଅଧିକ ସୁଦୃଢ କରିବା ଆମର ପ୍ରାଥମିକତା। ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରିବୁ। ସେହିପରି ମହିଳା ବିରୋଧୀ ଅପରାଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ସମ୍ବୋଧନରେ କହିଛନ୍ତି, ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଉଚିତ୍‌ । ଦୁଷ୍କର୍ମକାରୀଙ୍କୁ ଫାଶିରେ ଝୁଲାଇବା ଉଚିତ୍ ।ଏହାବ୍ୟତୀତ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ଆମର ଲକ୍ଷ୍ୟ । ଭାରତ ଜି-୨୦ର ଆୟୋଜନ ସଫଳତାର ସହ କରିଛି । ଏଥିରୁ ପ୍ରମାଣିତ ଯେକୌଣସି ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାରତରେ ହୋଇପାରିବ । ସୂଚନା ଅନୁସାରେ ଲାଲକିଲ୍ଲୀରେ ଲଗାତାର ୧୧ ଥର ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply

Your email address will not be published. Required fields are marked *