ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ: କୃଷ୍ଣଚନ୍ଦ୍ର ପାତ୍ର

‘ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନକାର୍ଡ’

ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ ଅଛନ୍ତି । ଏବେ ସୁଦ୍ଧା ସେମାନଙ୍କୁ ଚିହ୍ନଟ କରାଯାଇଛି । ସରକାର E-KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ ଆପେ ଆପେ କଟିଯିବ । ମହାକାଳପଡ଼ା ବିଧାୟକ ଦୂର୍ଗା ପ୍ରସନ୍ନ ନାୟକଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ୬ ଲକ୍ଷ ୧୯ ହଜାର ୮୩୬ ହିତାଧିକାରୀ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ କିମ୍ବା ଅନ୍ୟ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ଆଉ ଥରେ ଆବେଦନ କରିପାରିବେ। ସେହିପରି ଯୋଗାଣ ମନ୍ତ୍ରୀ କହିଛନ୍ତି, ବାପା ପୁଅ ଅଲଗା ରହୁଥିଲେ ଉଭୟଙ୍କୁ ରାସନ୍ କାର୍ଡ ଦେବାକୁ ବ୍ୟବସ୍ଥା କରାଯିବ। ସେହିପରି ତତ୍କାଳୀନ ବିଜେଡି ସରକାର ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ବହୁ ଧନୀ ଲୋକ ବିଜେଡି ନେତାଙ୍କ ଜରିଆରେ ରାସନ୍ କାର୍ଡ ହାତେଇଥିବା ସେ କହିଛନ୍ତି । ପୂର୍ବ ସରକାର ସମୟରେ ଡିଲର୍‌ ସବୁ ଖାଇ ଖୋଳ କରିଦେଇଛନ୍ତି । ଯଦି ବର୍ତ୍ତମାନ ସେମିତି କେହି କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *