ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍ ରଥଙ୍କ ସୂଚନା

ରତ୍ନଭଣ୍ତାରରେ ଗୁପ୍ତ କୋଠରୀ ଓ ରହସ୍ୟ ସୁଡ଼ଙ୍ଗ!

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲା, ଅଳଙ୍କାର ସବୁ ସ୍ଥାନାନ୍ତର ହେଲା । ହେଲେ ଭଣ୍ଡାର ଘରକୁ ଲାଗି ରହିଛି କି ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ । ଏ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଛେଦ ପଡ଼ିନି । ସେ ଦ୍ୱନ୍ଦ୍ୱ ଦୂର ଲାଗି ପ୍ରଥମେ ଉନ୍ନତ ଟେକ୍ନୋଲୋଜି ପ୍ରୟୋଗ କରି ସନ୍ଦେହ ମୋଚନ ସାରିବା ପରେ ଯାଇ ଭଣ୍ଡାର ଘର ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ । ଏଥିପାଇଁ ସରକାରଙ୍କୁ ଅବଗତ କରାଯିବ । ତେଣେ କମିଟିର ଆଉ ଜଣେ ସଦସ୍ୟ କହିଲେଣି- ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ସନ୍ଦେହ ହେଉଥିବାରୁ ଏ ନେଇ ଅପରାଧିକ ମାମଲା ରୁଜୁ କରାଯାଇପାରେ । ରତ୍ନଭଣ୍ଡାର ଭିତରେ ଅଛି କି କୌଣସି ଗୁପ୍ତ କୋଠରୀ? ଭିତର ଭଣ୍ଡାରକୁ ଲାଗି ରହିଛି କି ରହସ୍ୟମୟ ସୁଡ଼ଙ୍ଗ?ବିଭିନ୍ନ ସମୟରେ ଶ୍ରୀମନ୍ଦିର ଗବେଷକ ଓ ଐତିହାସିକଙ୍କ ମତ ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଦବେଳିତ ଏ ସଂଶୟ ଦୂର ପାଇଁ ଉଦ୍ୟମ କରିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି । ଆଜି ପୁରୀରେ ବୈଠକ ପରେ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି- ଲୋକଙ୍କ ଭାବାବେଗକୁ ଆମେ ଗୁରୁତ୍ୱ ଦେଉଛୁ ।

ଯେପରି ଭବିଷ୍ୟତରେ ଆଉ ଦ୍ୱନ୍ଦ୍ୱ ନ ଆସିବ ତାକୁ ଆଖି ଆଗରେ ରଖି ଏକଥା ଜାଣିବାକୁ ଉନ୍ନତ ଟେକ୍ନୋଲୋଜିର ପ୍ରୟୋଗ ପାଇଁ କହିଛୁ । ଯଦି କିଛି ପାଇବା, ତାହାଲେ ଆଗକୁ ବଢ଼ିବା, ନଚେତ ମରାମତି କରିବା । ଜଷ୍ଟିସ୍ ରଥ ଆହୁରି ମଧ୍ୟ କହିଛନ୍ତି- ରତ୍ନ ଭଣ୍ଡାରରୁ ସମସ୍ତ ଧନରତ୍ନ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରାଯିବା ପରେ ଏବେ ସେଠି ରହିଥିବା ଖାଲି ଆଲମିରା ସବୁକୁ କଢ଼ାଯିବ । ମନ୍ଦିର ପ୍ରଶାସନ ଏଥିପାଇଁ କୋଠରୀ ନିର୍ଦ୍ଧାରଣ କରିସାରିଛି । ଯେହେତୁ ଏହା SOPରେ ନଥିଲା, ସେଥିଲାଗି ପରିଚାଳନା କମିଟି ଜଣାଇଛୁ, କମିଟି ସରକାରଙ୍କୁ ଅବଗତ କରିବ । ଯେହେତୁ ମନ୍ଦିର ବହୁ ପୁରୁଣା, ତେଣୁ ତାର ଢାଞ୍ଚା ଉପରେ ଯେପରି କୌଣସି ଆଞ୍ଚ ନଆସେ ତାକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି ।ତେବେ ରତ୍ନ ଅଳଙ୍କାର ଗଣତି, ମଣତି ପାଇଁ ସମୟ ନିର୍ଦ୍ଧାରଣ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜଷ୍ଟିସ୍ ରଥ ।

Leave a Reply

Your email address will not be published. Required fields are marked *