ପାଣିରେ ଭାସୁଛି ସାରା ଦିଲ୍ଲୀ

ସ୍କୁଲ ବନ୍ଦ, ମେଡିକାଲରେ ରୋଗୀ ହନ୍ତସନ୍ତ

ଯମୁନାର ପାଣି ଦେଉଛି ଦିଲ୍ଲୀବାସୀଙ୍କ ଆଖିରେ ଲୁହ । ପାଣିରେ ଭାସୁଛି ଦେଶର ରାଜଧାନୀ ଦିଲ୍ଲୀ । ବିଭିନ୍ନ ରାସ୍ତା ଏବେ ନଦୀ ଭ୍ରମ ସୃଷ୍ଟି କରୁଛି । ଯେଉଁଆଡେ ଦେଖିବେ ଖାଲି ପାଣି ଆଉ ପାଣି । ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି । ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍ ଏବଂ କଲେଜ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ରହିଛି । ସେହିପରି ଏମର୍ଜେନ୍ସି ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଘରୋଇ ଅଫିସଗୁଡ଼ିକ ୱାର୍କ ଫ୍ରମ ହୋମ୍ ଫର୍ମୁଲାରେ ଚାଲିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ବନ୍ୟା ସ୍ଥିତି ମୁକାବିଲା ପାଇଁ ୧୨ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଶ୍ମଶାନ ବନ୍ଦ ହୋଇଯାଇଛି । ବିଭିନ୍ନ ମେଡିକାଲରେ ପାଣି ପଶିଯିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉତ୍ତର ଦିଲ୍ଲୀରେ ଏକ ସରକାରୀ ପରିଚାଳିତ ଟ୍ରମା ସେଣ୍ଟରରେ ପାଣି ପଶିଯିବାରୁ ୪୦ ରୋଗୀଙ୍କୁ ଏଠାରୁ ଏଲଏନଜେପି ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି । ଦିଲ୍ଲୀ ବିଧାନସଭା ନିକଟରୁ ମାତ୍ର ୩୫୦ ମିଟର ଦୂରରେ ନଦୀ ଜଳ ପହଞ୍ଚି ସାରିଛି । ଏପରିକି ସୁପ୍ରିମକୋର୍ଟ ନିକଟରେ ମଧ୍ୟ ପହଞ୍ଚିବାକୁ ଗଲାଣି ପାଣି ।