ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର

ଆତଙ୍କୀ-ସେନା ମହାଁମୁହିଁ, ୪ ଜଣ ଯବାନ ଶହୀଦ

ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଆତଙ୍କୀ-ସେନା ମହାଁମୁହିଁ। ଗୁଳି ବିନିମୟରେ ୪ ଜଣ ଯବାନ ଶହୀଦ । ସେମାନଙ୍କ ଭିତରେ ଜଣେ ସେନା ଅଧିକାରୀ ରହିଛନ୍ତି। ଡୋଡାର ଦେଶା ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଯବାନଙ୍କର ଗୁଳି ବିନିମୟ ହୋଇଥିଲା। ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ଖବର ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କାଶ୍ମୀର ସ୍ପେଶାଲ୍ ଅପରେସନ୍ସ ଗ୍ରୁପ ଅପରେସନ୍ ଆରମ୍ଭ କରିଥିଲେ । ଆତଙ୍କବାଦୀ ସେନା ଉପରେ ଫାୟାରିଂ କରିଥିଲେ। ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଏଥିରେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ସହୀଦ ହୋଇଛନ୍ତି । ସେନା ଓ ଜମ୍ମୁ- କାଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ହେଲିକପ୍ଟର ଯୋଗେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

ଗତ କିଛି ଦିନ ହେଲା ଘାଟିରେ ଆତଙ୍କୀ ନିପାତ ଅଭିଯାନ ବେଳେ ସୁରକ୍ଷାକର୍ମୀ ସହ ଗୁଳି ବିନିମୟ ହୋଇଛି। ଗତ ସପ୍ତାହରେ କଠୁଆରେ ସେନା ଗାଡି ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଯବାନ ଆହତ ହୋଇଥିଲେ। କଠୁଆର ମାଚେଡ଼ି ଅଞ୍ଚଳରେ ଇଣ୍ଡିଆନ୍ ଆର୍ମିର ୯ କର୍ପସ ଯବାନଙ୍କ ପାଟ୍ରୋଲିଂ ଚାଲିଥିବା ବେଳେ ଗାଡି ଉପରେ ଅତର୍କିତ ହମଲା କରିଥିଲେ ଆତଙ୍କବାଦୀ। ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଥିଲେ ଏବଂ ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି। ତେବେ ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ସୂଚନା ମିଳିଥିଲା। ଜାମ୍ମୁ ଅଞ୍ଚଳରେ ଏହା ସପ୍ତମ ଆତଙ୍କବାଦୀ ଆକ୍ରମଣ ଘଟଣା। ତେବେ ଏହି ଆକ୍ରମଣ ପରେ ସେହି ଅଂଚଳରେ ଜୋର୍‌ଦାର୍‌ ସର୍ଚ୍ଚ ଅପରେଶନ ଚାଲିଛି। ଗତ ୩୨ ମାସ ମଧ୍ୟରେ ଜାମ୍ମୁ ଅଞ୍ଚଳରେ ୪୮ ଜଣ ଯବାନ ଶହୀହ ହେଲେଣି।