ଲୁଚାଇପାରିଲେନି ଚନ୍ଦାମୁଣ୍ଡ

ଓ୍ବିଗ୍ ଟାଣି ନିସ୍ତୁକ ମାଡ଼ ମାରିଲେ କନ୍ୟାପକ୍ଷ

ବାହା ହେବେ ବୋଲି ମିଛ କହିଥିଲେ । ଆଉ ମିଛ ଧରାପଡିଯିବାରୁ ବହେ ଛେଚା ଖାଇଲେ । ଚନ୍ଦା ମୁଣ୍ଡିଆ ବୋଲି ଦେଖିଥିଲେ କାଳେ ବାହାଘର ହୋଇପାରିବନି ସେଥିପାଇଁ ଲୁଚାଇଥିଲେ ସତ । ହେଲେ କଣ ହେବ ବାହା ଘର ଦିନ ହିଁ ସମସ୍ତଙ୍କ ସାମ୍ନରା ସତ ବାହାରକୁ ଚାଲିଆସିଲା । ଆଉ ତାପରେ ଯାହା ହେଲା ତାହା ଆପଣ ଭିଜୁଆଲରୁ ଜାଣିପାରୁଥିବେ । ବାହାଘର ବେଳେ ଚନ୍ଦାମୁଣ୍ଡିଆ ବୋଲି ଜଣାପଡ଼ିବା ପରେ ବିହାରର ଗୟା ଜିଲ୍ଲାରେ କନ୍ୟାଘର ଲୋକେ ବରଙ୍କୁ ବହେ ମାଡ଼ ମାରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚନ୍ଦା ମୁଣ୍ଡ ଲୁଚାଇବା ଲାଗି ବର ‘ୱିଗ୍‌’ ଲଗାଇଥିଲେ । କିନ୍ତୁ ତାଙ୍କ ମୁଣ୍ଡରେ ଚୁଟି ନଥିବା ଜାଣିପାରିଥିଲେ କନ୍ୟା ପକ୍ଷ । କନ୍ୟାଘର ଲୋକେ ବରଙ୍କୁ ଗାଳିମନ୍ଦ ଦେଇ ମାଡ଼ ମାରୁଥିବା ଦେଖାଯାଉଛି। ବର ମଧ୍ୟ ଯୋଡ଼ହସ୍ତରେ କାକୁତିମିନତି କରୁଛନ୍ତି। କିନ୍ତୁ, କନ୍ୟାଘର ଲୋକେ ଦୟାମାୟା ନ ଦେଖାଇ ତାଙ୍କୁ ନୃଶଂସ ଭାବେ ନିସ୍ତୁକ ମାଡ଼ ମାରୁଛନ୍ତି । ତେବେ ବର ହେଉଛନ୍ତି ଗୟାର ଇକ୍‌ବାଲ୍‌ପୁର ଅଞ୍ଚଳର ବାସିନ୍ଦା । ଦ୍ବିତୀୟ ବିବାହ ପାଇଁ ଗୟାର ଧୋବି ଥାନା ଅନ୍ତର୍ଗତ ବାଜୌରା ଗାଁ’କୁ ଯାଇଥିଲେ। ଚନ୍ଦାମୁଣ୍ଡ ଲୁଚାଇବା ପାଇଁ ସେ ଓ୍ବିଗ୍ ଉପରେ ପଗଡ଼ି ବାନ୍ଧିଥିଲେ। ବର ଚନ୍ଦା ବୋଲି କୌଣସି କାରଣରୁ ସନ୍ଦେହ ହେବାରୁ କନ୍ୟାଘର ଲୋକେ ତାଙ୍କ ଓ୍ବିଗ୍ ଟାଣି ପକାଇବାରୁ ସତ କଥା ଜଣାପଡ଼ିଗଲା। ଉପସ୍ଥିତ କନ୍ୟା ଘର ଲୋକେ ଉତ୍‌କ୍ଷିପ୍ତ ହୋଇ ବରଙ୍କୁ ମାରଧର କରୁଥିବା ବେଳେ ଅଳ୍ପ କେତେ ଜଣ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ପୁଣି, ପ୍ରଥମ ସ୍ତ୍ରୀ ଥାଇ ସେ ବର ଦ୍ବୀତିୟ ବାହା ହେଉଥିବା କଥା ସେହି ସମୟରେ କୌଣସିସୂତ୍ରରୁ ଜାଣିବା ପରେ କନ୍ୟାଘର ଲୋକେ ଆହୁରି ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ତେଣୁ, ସେମାନେ କ୍ଷମା କରିବା ପରିସ୍ଥିତିରେ ନ ଥିଲେ। ଫଳରେ ମାଡ କମିବା ପରିବର୍ତ୍ତେ ଆହୁରି ବଢିଥିଲା । ଘଟଣାସ୍ଥଳରେ ଅନ୍ୟ କିଛି ଲୋକ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।