ଏଣିକି ଛାଡ଼ପତ୍ର ପରେ ମୁସଲିମ୍ ମହିଳା ମାନେ ମଧ୍ୟ ପାଇବେ ଭରଣପୋଷଣ

ଛାଡ଼ପତ୍ର ପରେ ମୁସଲିମ୍ ମହିଳାମାନେ ମଧ୍ୟ ପାଇବେ ଭରଣପୋଷଣ

ଏଣିକି ଛାଡ଼ପତ୍ର ପରେ ମୁସଲିମ୍ ମହିଳା ମାନେ ମଧ୍ୟ ପାଇବେ ଭରଣପୋଷଣ। ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଭରଣ ପୋଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ରାୟରେ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ।

ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ 2017ରେ ଛାଡ଼ପତ୍ର ହୋଇଥିଲା। କିନ୍ତୁ ମହିଳା ଜଣକ CrPCର ଧାରା 125 ଅନୁଯାୟୀ ସ୍ୱାମୀଙ୍କଠୁ ଭରଣ ପୋଷଣ ପାଇଁ ଦାବି କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଅବଦୁଲ ମସାଦ ଏହାକୁ ଚ୍ୟାଲେଞ୍ଜ କରିଥିଲେ।
ସର୍ବୋଚ୍ଚ ଅଦାଲତର ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହା ଉପରେ ଶୁଣାଣି କରି ଅବଦୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। CrPCର ଧାରା 125 ଅନୁସାରେ ଛାଡ଼ପତ୍ର ପରେ ବି ସ୍ୱାମୀ, ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଏହାକୁ ଖଣ୍ଡନ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ମହିଳାମାନଙ୍କ ଭରଣ ପୋଷଣ କ୍ଷେତ୍ରରେ କୌଣସି ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ। କେବଳ ମୁସଲିମ ମହିଳା ନୁହଁନ୍ତି, ସମସ୍ତ ଧର୍ମର ମହିଳା ଭରଣ ପୋଷଣର ଅଧିକାର ପାଇଛନ୍ତି। ଧର୍ମ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ। ଶୁଣାଣି ବେଳେ ଜଷ୍ଟିସ ନାଗାରତ୍ନ କହିଛନ୍ତି ଯେ, ଭାରତୀୟ ପୁରୁଷମାନଙ୍କୁ ପତ୍ନୀଙ୍କ ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଯାଇଛି। ସ୍ତ୍ରୀମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ପାଇଁ ଜଏଣ୍ଟ ଆକାଉଣ୍ଟ ସହ ATM ସୁବିଧା ରଖିବା ଉଚିତ୍ ବୋଲି ଜଷ୍ଟିସ ନାଗାରତ୍ନ ପରାମର୍ଶ ଦେଇଛନ୍ତି।