IAS ମନୋଜ ଆହୁଜା ନୂଆ CS

ମନୋଜ ଆହୁଜା ହେଲେ ନୂଆ ଶାସନ ସଚିବ

ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ଶାସନ ସଚିବ । ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍‌ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା । ଏବେ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କୁ ଆସନ୍ତା ୩୦ ତାରିଖରେ ଅବସର ଲାଗି ସରକାର ଅନୁମତି ଦେଇଛନ୍ତି । ତା ପୂର୍ବରୁ ରାଜ୍ୟର ନୂଆ ସରକାରରେ ନୂଆ ମୁଖ୍ୟ ଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶେଷରେ ମନୋଜଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଆଉ ମନୋଜ ଆହୁଜା ହେବାକୁ ଯାଉଛନ୍ତି ରାଜ୍ୟର ୪୫ତମ ମୁଖ୍ୟ ଶାସନ ସଚିବ ।

ମନୋଜ ଆହୁଜା ୨୦୧୭ରେ ଓଡ଼ିଶାରୁ କେନ୍ଦ୍ରକୁ ଡେପୁଟେସନରେ ଯିବା ପୂର୍ବରୁ ରାଜ୍ୟ ପ୍ରଶାସନିକ ସେବାରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ । ସମବାୟ ବିଭାଗର ପ୍ରମୁଖ ସଚିବ, ବାଣିଜ୍ୟ କର କମିଶନର, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ, ଖଣି ଓ ଇସ୍ପାତ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ରହିଥିଲେ ମନୋଜ ।ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ମଧ୍ୟ ସେ ନିଯୁକ୍ତି ପାଇଥିଲେ । ରାଜ୍ୟରେ ୨୪ ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଥିବାରୁ ପ୍ରଦୀପ ଜେନାଙ୍କ ପରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ରେସରେ ଏକାଧିକ ଆଇଏଏସଙ୍କ ନାଁ ରହିଥିଲା । ସେ ଭିତରୁ ଆଗରେ ଥିଲେ ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ତଥା ବର୍ତ୍ତମାନର SRC ସତ୍ୟବ୍ରତ ସାହୁ ଓ ଉନ୍ନୟନ କମିଶନର ଅନୁ ଗର୍ଗ ।ସେହିଭଳି ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜବିହାରୀ ଧଳଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଥିଲା । ଏଇ ମାସ ୩୦ ତାରିଖରେ ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ । ଏବେ ରାଜ୍ୟ ସରକାର ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପ୍ରକ୍ରିୟା ଶେଷ କରିଥିବା ବେଳେ ନୂଆ ସରକାରରେ ଆଗକୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ପଦ ପଦବୀରେ ମଧ୍ୟ ବଡ଼ ଧରଣର ଅଦଳ ବଦଳ ଓ ନୂଆ ନିଯୁକ୍ତି ପ୍ରକ୍ରିୟା ହେବାର ସମ୍ଭାବନା ରହିଛି ।