ଦିଲ୍ଲୀରେ ବର୍ଷା ବିତ୍ପାତ

୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା

୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ । ୨୪ ଘଣ୍ଟାରେ ଅର୍ଥାତ ଗୁରୁବାର ସକାଳ ୮ଟା ୩୦ରୁ ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ ଦିଲ୍ଲୀରେ ୨୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ବିଗତ ୮୮ ବର୍ଷରେ ସର୍ବାଧିକ । ଏହା ସହ ୧୯୩୬ ମସିହା ପରେ ଏହା ରେକର୍ଡ ମାତ୍ରାରେ ଭାରି ବର୍ଷା ବୋଲି ସୂଚନା ଦେଇଛି ଦିଲ୍ଲୀ ପାଣିପାଗ ବିଭାଗ । ଦିଲ୍ଲୀ-ଏନସିଆରଠାରୁ ଆରମ୍ଭ କରି ନୋଏଡା ସେକ୍ଟର-୬୨, ମିଣ୍ଟୋ ରୋଡ, ତିନ୍ ମୂର୍ତ୍ତି ମାର୍ଗ, ମୋଲଚାନ୍ଦ ଆଦି ଅଞ୍ଚଳରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି ।ଏମିତିକି ମିଣ୍ଟୋ ରୋଡରେ ଏକ ଟ୍ରକ୍ ରାସ୍ତାରେ ଅଧା ବୁଡିଯାଇଥିବା ଦେଖିବାକୁ ମିଳିଛି । ଅନେକ ରାସ୍ତାରେ ଗାଡିମୋଟର ଫସି ରହିଛି । କନଟ ପ୍ଲେସ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିଛି । ରାସ୍ତାରେ ଗାଡି ଯିବା ତ ଦୂରର କଥା ଚାଲି ଚାଲି ଗଲେ ବି ଆଣ୍ଠୁଏ ଉଚ୍ଚର ପାଣି ଦେଇ ଯିବାକୁ ପଡୁଛି । ଗୋଟିଏ ଦିନର ବର୍ଷାରେ ସ୍ଥିତି ବେହାଲ ହୋଇଯାଇଛି । ଲୋଧୀ ରୋଡ୍‌ର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଜଙ୍ଗପୁରାରେ ଅଣ୍ଟାଏରୁ ଅଧିକ ଉଚ୍ଚର ପାଣି ଚାଲୁଛି । ଏମସ ରୋଡରେ ବହୁ କିଲୋମିଟର୍ ଯାଏଁ ପାଣି ଜମି ରହିଛି । ଆଉ ବର୍ଷା ପରେ ରାସ୍ତାଘାଟରେ ବିତ୍ପାତର ଦୃଶ୍ୟ ଦେଖିବାକୁ ମିଳିଛି ।