ସଂସଦର ଲୋକସଭାରେ ଚାଲିଛି ଶପଥ ସମାରୋହ

ଓଡ଼ିଆରେ ଶପଥ ବେଳେ ଧର୍ମେନ୍ଦ୍ର, ଜୁଏଲ

ସଂସଦର ଲୋକସଭାରେ ଚାଲିଛି ଶପଥ ସମାରୋହ । ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଶପଥ ଗ୍ରହଣ କରୁଛନ୍ତି । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଉଛନ୍ତି । ଏହି ସମୟରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି । ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁନ୍ଦରଗଡ ଲୋକସଭାରୁ ଜୁଏଲ ଓରାମ ନିର୍ବାଚିତ ହୋଇଛନ୍ତି । ଓଡ଼ିଶାରୁ ବିଜେପିରୁ ୨୦ ସାଂସଦ ନିର୍ବାଚିତ ହୋଇଛନ୍ତି । ଆଉ କାମଚଳା ବାଚସ୍ପତି ନିଜେ ଜଣେ ଓଡ଼ିଆ ହୋଇଥିବାରୁ ଶପଥ ସମାରୋହରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବାର ସମ୍ଭାବନା ଥିଲା । ଆଉ ଏବେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ସାନ୍ତାଳୀ ଭାଷାରେ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେବାର ସୂଚନା ରହିଛି ।