କୁଆଡେ ଗଲେ ଷ୍ଟେସନ ମାଷ୍ଟର ?

ବାହାନଗା ଟ୍ରେନ୍ ଟ୍ରାଜେଡି, ଧୀରେଧୀରେ ସିବିଆଇ ହାତରେ ଲାଗୁଛି ବଡ ବଡ ସୁରାକ । କେମିତି ହୋଇଥିଲା ଦୁର୍ଘଟଣା, କିଏ କିଏ ଏହି ଷଡଯନ୍ତ୍ରରେ ସାମିଲ ଥିଲେ ତାକୁନେଇ ତନାଘନା କରୁଛି ସିବିଆଇ। ସେପଟେ ତିନିଜଣଙ୍କ ରିମାଣ୍ଡ ସାରିବା ପରେ ପୁଣି ରିମାଣ୍ଡରେ ନେଇଛି ସିବିଆଇ । ଗତକାଲିଠୁ ୪ ଦିନିଆ ରିମାଣ୍ଡରେ ନେଇ ପୁଣି ଘାଣ୍ଟୁଛି ସିବିଆଇ । ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାର ପୁଣିଥରେ ରିମାଣ୍ଡରେ ଯାଇଛନ୍ତି । ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ କରିଥିଲା ପଚରାଉଚରା ।

ଏହାରି ଭିତରେ କିନ୍ତୁ ଆଉ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି । ବାହାନଗା ଟ୍ରେନ ଟ୍ରାଜେଡିରେ କମିଶନର ଅଫ୍ ରେଲଓ୍ୱେ ସେଫ୍ଟିଙ୍କ ରିପୋର୍ଟ ଅନୁଯାୟୀ ଜେରା କରାଯାଉଛି । ଷ୍ଟେସନ ମାଷ୍ଟରଙ୍କୁ ହାଜର ପାଇଁ ସମନ ଜାରି ହୋଇଛି । ଗତକାଲି ତାଙ୍କୁ ହାଜର ହେବାକୁ କୁହାଯାଇଥିବା ବେଳେ ସେ ସିବିଆଇ ନିକଟରେ ହାଜର ହୋଇନଥିଲେ । ସିଗନାଲ ସମ୍ପର୍କିତ ଦୁଇ ଜଣ ରେଳ କର୍ମଚାରୀଙ୍କୁ ମଧ୍ୟ ଜେରା କରିଥିଲା CBI ।

ତେବେ ଏବେ ଯାହା ଖବର ସାମ୍ନାକୁ ଆସୁଛି ୭ ରେଳ କର୍ମଚାରୀ ନିଲମ୍ବିତ । ଗିରଫ ୩ କର୍ମଚାରୀଙ୍କ ସହ ୭ ଜଣ ସସପେଣ୍ଡ୍ । ସିଆରଏସଙ୍କ ତଦନ୍ତରେ ଅନ୍ୟ ୪ ଜଣଙ୍କ ସମ୍ପୃକ୍ତି ଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଡ୍ୟୁଟିରେ ଖିଲାପ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେଲେ ରେଲୱେ ଜିଏମ ଅନୀଲ ମିଶ୍ରା । ସିବିଆଇ ଓ ସିଆରଏସଙ୍କ ତଦନ୍ତ ଏବେ ବି ଜାରି ରହିଛି । ତେବେ ଆଗାମୀ ଦିନରେ ପୁରା ଘଟଣା କେଉଁ ମୋଡ ନେଉଛି ଦେଖିବାକୁ ଅପେକ୍ଷା ।